ପୋଖରୀରେ ବୁଡି ହାସ୍ୟ କଳାକାରଙ୍କ ଦେହାନ୍ତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

ସାଲେପୁର (ଅଭୟ ଜେନା): ଆଉ ଶୁଭିବନି ହାସ୍ୟ ଅଭିନେତାଙ୍କ ଗୁଞ୍ଜନ । ପୋଖରୀରେ ବୁଡି ହାସ୍ୟ ଅଭିନେତା ଦର୍ଶନ ଜେନାଙ୍କର ମୃତ୍ୟୁ । ମାହାଙ୍ଗା ଥାନା ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚାଳର କୁହୁଣ୍ଡା ପଞ୍ଚାୟତ ଅମିନାବାଦ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା l କୁହୁଣ୍ଡା ଗାଁର ଶନିଶ୍ଚର ମନ୍ଦିର ନିକଟରେ ଥିବା ପୋଖରୀରୁ ଦର୍ଶନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦର୍ଶନଙ୍କ ଗୋଡ ଖସିଯିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି l ତେବେ ଝିଅ ଲିଲି ଜେନାଙ୍କ ଏତଲା ଆଧାରରେ କୁମୁଡା ଜୟପୁର ଫାଣ୍ଡିରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି l
ଖବର ଜଣାପଡିବା ପରେ ସ୍ଥାନୀୟ ତହସିଲଦାର ଉମାକାନ୍ତ ବିଶ୍ୱାଳ, କୋଳିଅଠା ରାଜସ୍ବ ନିରୀକ୍ଷକ କ୍ଷୀରୋଦ ସାହୁଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରୀ ସହାୟତା ରାଶି ମୃତକଙ୍କ ଝିଅଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି l ଦର୍ଶନ ଜେନା ଜଣେ ହାସ୍ୟ ଅଭିନେତା ଭାବେ ବୈଷ୍ଣବ ପାଣିଙ୍କ ଅନେକ ଗୀତିନାଟ୍ୟରେ ଅଭିନୟ କରି ବେଶ୍ ପ୍ରଶଂସା ଅର୍ଜନ କରିଥିଲେ l ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ଖବରପାଇ ସାମାଜିକକର୍ମୀ ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ସଂଖ୍ୟାଲଘୁ ସଂଗଠକ ଅଫସର ତୁଲ୍ଲା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଛନ୍ତି ।