ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଗୋ ପାଳନ ବିଷୟରେ ଚାଷୀଙ୍କୁ ତାଲିମ ପ୍ରଦାନ କରିବ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଶ କୁମାର ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଉମାକାନ୍ତ ରଣା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା (LP) ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା ତାଲିମ ସଂଯୋଜକ ଅଭିଜିତ ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରୀକାନ୍ତ ଖଟୁଆ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୋଶାଣୀ, ଗୁମ୍ମା, କାଶୀନଗରର ଗୋ-ପାଳନ ଚାଷୀ ଉପସ୍ଥିତ ରହି ପଶୁ ସମ୍ପଦ ବିଭାଗରୁ ବିଭିନ୍ନ ଯୋଜନା ଉପରେ ଚାଷୀଙ୍କୁ ଅବଗତ କରାଇବା ସହ ଗାଈମାନଙ୍କ ପ୍ରଜଜନ ସମ୍ବନ୍ଧୀୟ ତଥା ବିଭିନ୍ନ ରୋଗ ବିଷୟରେ ଚାଷୀଙ୍କୁ ଅନଲାଇନ ଜରିଆରେ କିପରି ଜାଣିହେବ ସେ ନେଇ ତାଲିମ ପ୍ରଦାନ କରିଥିଲେ ।