ରାଜ୍ୟସ୍ତରୀୟ କୃଷି ମେଳାରେ ସମ୍ମାନିତ ହେଲେ ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରା

ଓଡାପଡା (ଗୋପବନ୍ଧୁ ବୋରିକ): ରାଜ୍ୟସ୍ତରୀୟ କୃଷି ମେଳା 2023 ଉଦଯାପିତ ହୋଇଯାଇଛି l ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମର ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରାଙ୍କୁ ମହାମହିମ ରାଜ୍ୟପାଳ ସମ୍ମାନିତ କରିବା ସହ ଦଶ ହଜାର ଟଙ୍କା ନଗଦ ଚେକ ସହ ମାନପତ୍ର ପ୍ରଦାନ କରିଛନ୍ତି ।
ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ କୃଷି ମେଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ୍ ଯୋଗ ଦେଇଥିଲେ । ଏହି ଅବସରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କୃଷି ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ଏବଂ ଅନ୍ୟାନ୍ୟ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ l
ଅପରପକ୍ଷେ ଗୋପବନ୍ଧୁ ମହାମମହିମ ରାଜ୍ୟପାଳଙ୍କ ନିକଟରୁ ପୁରସ୍କୃତ ହେବା ପରେ କହିଛନ୍ତି ଯେ, “ମୁଁ ଜଣେ ସାଧାରଣ ଚାଷୀ ପରିବାର ପୁଅ । ମୋ ଗ୍ରାମର ପ୍ରାୟ 90ଭାଗ ପରିବାର ଚାଷୀ ଅଟନ୍ତି l ଓଡିଶା ସରକାରଙ୍କ ତରଫରୁ ମାଗଣା କଲମୀ କାଜୁ ରୋପଣ ବିଷୟରେ ବୁଝି, ସ୍ଥିର କଲି ନିଜର ତଥା ଅନ୍ୟ ଚାଷୀଙ୍କର ପଚିଶ ଏକରରୁ ଉର୍ଦ୍ଧ୍ୱ ତଇଲା ଜମିରେ ଉନ୍ନତମାନର କଲମ୍ବୀ କାଜୁ ଚାଷ କରିବି । ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି’ ଯୋଜନାରେ ଚାଷ କଲି l କାଜୁ ଭିତରେ ଶାଗ, ରାଶି, ବିରି, ମୁଗ, କୋଳଥ, କଖାରୁ ଇତ୍ୟାଦି ଚାଷ କରି ଲକ୍ଷାଧିକ ଟଙ୍କା ଲାଭ ପାଇଲୁ । ଏହାପରେ ୨୦୨୦ ମସିହାରେ ମୁଁ ଓ ଆଉ ୮ ଜଣ ଚାଷୀ ମିଶି ବିଭାଗ ତରଫରୁ କ୍ଷେତ ପୋଖରୀ ଯୋଜନାରେ ଗୋଟିଏ ଗୋଟିଏ ପୋଖରୀ ଖନନ କଲୁ । ସେଥିରେ ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ ଭଳି ଏକ ଲାଭଜନକ ଚାଷ କରିବା ସହିତ ପୋଖରୀ ହୁଡ଼ାରେ ନଡ଼ିଆ, କଦଳୀ, ସଜନା ଶାଗ, ଅମୃତଭଣ୍ଡା, ପିଜୁଳି, ଲେମ୍ବୁ ଇତ୍ୟାଦି ଚାରା ଉଦ୍ୟାନ ବିଭାଗ ସହାୟତାରେ ଲଗାଇଲୁ l ପୋଖରୀ ପାଖାପାଖି ତଇଲାରେ କୃଷି ବିଭାଗ ତରଫରୁ ମୁଗ, ବିରି, ରାଶି ଇତ୍ୟାଦି ପାଇଲୁ l ବର୍ତ୍ତମାନ ପୋଖରୀରୁ ବର୍ଷକୁ ୩୦ ରୁ ୪୦ ହଜାର ଓ ଅନ୍ୟ ପନିପରିବାରୁ ୨୦ ରୁ ୩୦ ହଜାର ଟଙ୍କା ଆୟ କରି ପାରୁଛୁ l ସରକାରଙ୍କର ବିଭିନ୍ନ ବଡ଼ ବଡ଼ ଉଚ୍ଚ ଅଧିକାରୀମାନେ ମୋ ଜାଗାକୁ ଆସି ବୁଲି ମୋତେ ଅନେକ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଯୋଜନାକୁ ଆପଣେଇ ମୁଁ ନିଜେ ଲାଭବାନ ହେବା ସହ ମୋ ଗାଁର ଅନେକ ଚାଷୀମାନେ ଲାଭବାନ ହୋଇଛନ୍ତି l”