ପ୍ରଶାସନର ନିମ୍ନମାନର କାମ, ଚାଲିଗଲା ବାଳକର ଜୀବନ

ବେଗୁନିଆପଡା (ବାପୁନି କୁମାର ମାଲୁ): ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ । ଶେଷରେ ନିମ୍ନମାନର କାମ ପାଇଁ ବଳିପଡିଗଲା ଜଣେ ବାଳକର ଜୀବନ । ନିଜ କୁନି ପୁଅକୁ ହରାଇ ବିକଳ ହୋଇ କାନ୍ଦୁଛି ମା । ପଞ୍ଚମ ଶ୍ରେଣୀର ଗୋଟେ କୁନି ବାଳକର ବିୟୋଗରେ ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତୁଳସୀପୁର ଗାଁରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଗାଁର କିଛି ପିଲା ଖେଳୁଥିବା ସମୟରେ ଆଶ୍ରୟସ୍ଥଳର ଭଗ୍ନ ଗେଟ୍ ଜଣେ ଛାତ୍ରଙ୍କ ଉପରକୁ ପଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ତୁଳସୀପୁରର କରୁଣା ପାହାନଙ୍କ ପୁତ୍ର ପବିତ୍ର ପାହାନ ।
ସୂଚନା ଅନୁସାରେ, ତୁଳସୀପୁର ବାତ୍ୟା ଆଶ୍ରୟସ୍ଥଳୀରେ ନିମ୍ନମାନର କାମ ହୋଇଥିବା ପୂର୍ବରୁ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏ ନେଇ ଗ୍ରାମବାସୀ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ ହେବାରୁ ଜଣେ ନିରୀହ ନାବାଳକର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।