ଆକ୍ସନ ମୋଡରେ ବାଲେଶ୍ବର ପୋଲିସ । ୨୭ ଲକ୍ଷ ଟଙ୍କାର ଧଳାଜହର ଜବତ

ବାଲିଆପାଳ (ଚନ୍ଦନ ଅଣ୍ଡିଆ): ନିଶା ବେପାରୀଙ୍କୁ ସାବାଡ କରିବା ପାଇଁ ଏବେ ଆକ୍ସନ ମୋଡରେ ବାଲେଶ୍ବର ପୋଲିସ । ଜବତ ହେଲା ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଜଳେଶ୍ବର ଏସ୍.ଡି.ପି.ଓ.ଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରି ୨୭୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଳେଶ୍ଵର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ଏସ୍.ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏହାସହ ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଅଲ୍ଟୋ କାର୍, ଗୋଟିଏ ବାଇକ୍, ୭ଟି ଏଟିଏମ୍ କାର୍ଡ, ପାନ୍ କାର୍ଡ ସମେତ ନଗଦ ଟଙ୍କା ଜବତ କରାଯାଇଛି । ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର କମର୍ଦା ଥାନା ଅଞ୍ଚଳର ହୋଇଥିବାବେଳେ ଜଣଙ୍କ ଘର ଜଳେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି । ଆଗାମୀ ଦିନରେ ବ୍ରାଉନସୁଗାର କାରବାର କିପରି ରୋକାଯାଇ ପାରିବ ସେ ନେଇ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଏସ୍.ପି ।