ରାଜ୍ୟର ୫୭ଟି ଷ୍ଟେସନ ଅମୃତ ଭାରତ ଷ୍ଟେସନରେ ସାମିଲ

(ବ୍ୟୁରୋ ରିପୋର୍ଟ): ଚଳିତ ବଜେଟରେ ଓଡ଼ିଶାର ରେଳ ବିଭାଗକୁ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୦ବର୍ଷ ମଧ୍ୟରେ ଓଡ଼ିଶାକୁ ରେଳ ଅନୁଦାନ ୧୨ଗୁଣ ବୃଦ୍ଧି ପାଇଛି । ଏଥିରେ ୨୮୦ କିଲୋମିଟର ନୂତନ ରେଳପଥ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ । ସେହିପରି ଖୋର୍ଦ୍ଧା ରୋଡ଼ ଡିଭିଜନର ୫୭ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ସାମିଲ କରାଯାଇଛି ।
ଚଳିତ ବଜେଟରେ ରାଜ୍ୟ ସରକାର ରେଳ ବିଭାଗ ପାଇଁ ମାଗିଥିଲେ ୮ହଜାର ୪୦୦ କୋଟି । କିନ୍ତୁ ମୋଦୀ ସରକାର ଉକ୍ତ ଦାବିର ପ୍ରାୟ ୨୦ ପ୍ରତିଶତ ଅଧିକ ଅର୍ଥ ଅର୍ଥାତ୍ ଓଡିଶାକୁ ୧୦ହଜାର ୧୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏହି ଅର୍ଥରାଶିରେ ରେଳ ବିଭାଗ ପକ୍ଷରୁ ବନ୍ଦେ ମେଟ୍ରୋ ଟ୍ରେନ ନାମରେ ଅନେକ ଟ୍ରେନ ଚଳାଚଳ କରିବ । କଟକ ପୁରୀ, ସମ୍ବଲପୁର ଝାରସୁଗୁଡ଼ା ପରି ସ୍ଥାନ ମାନଙ୍କରେ ସଟଲ ଟ୍ରେନ ଭଳି ଏହି ଟ୍ରେନ ଚଳାଚଳ କରିବ । ସେହିପରି ବନ୍ଦେ ଭାରତ ବନାମରେ ମଧ୍ୟ ଅତ୍ୟାଧୁନିକ ଟ୍ରେନର ଚଳାଚଳ କରାଯିବ ।
ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ମାର୍ଗ ନିମନ୍ତେ ୧୫୯୯.୫୦କୋଟି ଟଙ୍କା ଆବଣ୍ଟନ ହୋଇଥିବାବେଳେ ନୂତନ ଜନଜାତୀୟ ଗୌରବ କରିଡରରେ ଓଡ଼ିଶା ପାଇଁ ୨୮୪କୋଟି ଟଙ୍କା, ନୂତନ ଶକ୍ତି କରିଡର ପାଇଁ ୨୮୪କୋଟି ଟଙ୍କା, ନୂତନ ବନ୍ଦର ସଂଯୋଗୀକରଣ ପାଇଁ ୫୭କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟକୁ ଦେଶବିଦେଶରେ ପହଂଚାଇବା ପାଇଁ ରାଜ୍ୟର ୨୮ଟି ଷ୍ଟେସନକୁ ‘ୱାନ ଷ୍ଟେସନ-ୱାନ ପ୍ରଡକ୍ଟ’ ଜରିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପୁରୀ ଷ୍ଟେସନରେ ପଟ୍ଟଚିତ୍ର ଓ ପିପିଲି ଚାନ୍ଦୁଆ, ମିଠା, କଟକ ଷ୍ଟେସନରେ ରୂପା ତାରକସି କାର୍ଯ୍ୟ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ରାଉରକେଲା ଷ୍ଟେସନରେ ଜନଜାତୀୟ ଉତ୍ପାଦ ଓ ଉର୍ମି କମ୍ପୋଷ୍ଟ, କୋରାପୁଟ ଷ୍ଟେସନରେ କୋଟପାଡ଼ ଶାଢ଼ୀ ଓ ଖେଳଣା, ଢେଙ୍କାନାଳ ଷ୍ଟେସନରେ ଢ଼ୋକ୍ରା କାଷ୍ଟିଙ୍ଗ, ଜନଜାତୀୟ ଗହଣା, ସମ୍ବଲପୁର ଷ୍ଟେସନରେ ସମ୍ବଲପୁରୀ ଶାଢ଼ୀ ଓ ପୋଷାକ, ଟେରାକୋଟା, ଟିଟିଲାଗଡ଼ ଷ୍ଟେସନରେ ବାଉଁଶ କାରୁକାର୍ଯ୍ୟ ଓ କାରିଗରି ଆଦି ଉପଲବ୍ଧ ରହିବ ।
ୱାର୍ଲ୍ଡ କ୍ଲାସ ଷ୍ଟେସନ ଭାବେ ପୁରୀ, ଭୁବନେଶ୍ବର, କଟକ, ଭୁବନେଶ୍ବର ନିଉକୁ ମନୋନୀତ କରାଯାଇଛି । ଏଣୁ ଏହାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ଖୋର୍ଦ୍ଧା ରୋଡ ଡି.ଆର୍.ଏମ୍ ରିଙ୍କେସ ରୟ ସୂଚନା ଦେଇଛନ୍ତି I ପୁରୀ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୬୨କୋଟି ଟଙ୍କା, ଭୁବନେଶ୍ୱର ଷ୍ଟେସନ ପାଇଁ ୩୦୮କୋଟି ଓ କଟକ ଷ୍ଟେସନ ପାଇଁ ୩୦୩କୋଟି ଟଙ୍କା ଖର୍ଚ୍ଚ ହେବ ।
ରେଳ ବିଭାଗର ସୂଚନା ଅନୁସାରେ, ୨୦୧୩-୧୪ରେ ଓଡ଼ିଶାକୁ ରେଳ ଅନୁଦାନ ବାବଦରେ ୮୧୨.୫୦କୋଟି ଟଙ୍କା ମିଳିଥିବାବେଳେ ୨୦୧୪-୧୫ରେ ୧,୪୬୫କୋଟି, ୨୦୧୫-୧୬ରେ ୩,୭୧୨କୋଟି, ୨୦୧୬-୧୭ରେ ୪,୬୮୨କୋଟି, ୨୦୨୦-୨୧ରେ ୪,୩୭୩କୋଟି, ୨୦୨୧-୨୨ରେ ୬୯,୯୯୫.୫୮କୋଟି, ୨୦୨୨-୨୩ରେ ୯,୭୩୪ କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ମିଳିଛି ।