ସେୟାର ମାର୍କେଟ୍ ଉପରମୁହାଁ…

ଆଜି ସଂସଦରେ ଉପସ୍ଥାପନ ହେଉଛି ୨୦୨୩-୨୪ର ଆର୍ଥିକ ବଜେଟ୍ । ଏହା ପୂର୍ବରୁ ସେୟାର ମାର୍କେଟ୍ ଉପରମୁହାଁ ହୋଇଛି । BSE ସେନସେକ୍ସ ପୁଣି ଥରେ ୭୭୩.୬୯ ପଏଣ୍ଟ ବୃଦ୍ଧି ପାଇ ୬୦,୨୦୫ ଖୋଲିଥିଲା । ସେହିପରି NSE ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ୨୨୬.୩୫ ପଏଣ୍ଟ ହାସଲ କରି ୧୭,୮୯୧.୯୫ ରେ ଖୋଲିଥିଲା । ଆଜି ବଜେଟ୍ ଉପସ୍ଥାପନ ପୂର୍ବରୁ BSEରେ ସାମିଲ ୩୦ଟି ଶେଆର ଗ୍ରୀନ୍ ସଙ୍କେତ ଦେଇ ଖୋଲିଥିଲା । ପ୍ରାରମ୍ଭିକ ବାଣିଜ୍ୟରେ ବ୍ୟାଙ୍କିଙ୍ଗ୍, ଆଇଟି ସହିତ ସମସ୍ତ ଇଣ୍ଡେକ୍ସରେ ଭଲ ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।
ସେପଟେ, ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସରକାର ଜାନୁଆରୀ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାନୁଆରରେ ଜିଏସଟି ସଂଗ୍ରହ ୧ଲକ୍ଷ ୫୫ହଜାର କୋଟି ଟଙ୍କା ଅତିକ୍ରମ କରିଛି । ୨୦୨୩ ଜାନୁଆରୀ ମାସ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଜିଏସଟି ରାଜସ୍ୱ ୧ଲକ୍ଷ ୫୫ହଜାର ୯୨୨ କୋଟି ଟଙ୍କା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏଥିରେ ୨୮ହଜାର ୯୬୩ କୋଟି ଟଙ୍କାର ସିଜିଏସଟି, ୩୬ହଜାର ୭୩୦ କୋଟି ଟଙ୍କାର ଏସଜିଏସଟି, ୭୯ହଜାର ୫୯୯ କୋଟି ଟଙ୍କା ଆଇଜିଏସଟି ଏବଂ ସେସ୍ ୧୦ଜହାର ୬୩୦ କୋଟି ଆମଦାନୀ ବାବଦରେ ସଂଗ୍ରହ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୨୦୨୩ ଜାନୁଆରୀ ସୁଦ୍ଧା ରାଜସ୍ୱ ଆଦାୟ ଗତବର୍ଷ ଏହି ଅବଧିର ଜିଏସଟି ରାଜସ୍ୱ ତୁଳନାରେ ୨୪ ପ୍ରତିଶତ ଅଧିକ ରହିଛି ।