ସଙ୍କଟାପନ୍ନ ଅବସ୍ଥାରେ ଅଭିନେତା ପିଣ୍ଟୁ ନନ୍ଦ, ସାହାଯ୍ୟ ପାଇଁ ନିବେଦନ

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ): ସଙ୍କଟାପନ୍ନ ଅବସ୍ଥାରେ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ । ଲିଭର ସିରିଓସିସ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପିଣ୍ଟୁ । କିଛିଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦେଇଥିଲେ । ଅପରପକ୍ଷେ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ଥିବାବେଳେ ଏ ନେଇ ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ସହାୟତାର ହାତ ବଢାଇବା ଲାଗି ନିବେଦନ କରିଛନ୍ତି ।
ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ଦର୍ଶକ ପିଣ୍ଟୁ ନନ୍ଦଙ୍କୁ ଖଳନାୟକ, ସହନାୟକ ତଥା କମେଡିଆନ୍ ଚରିତ୍ରରେ ପସନ୍ଦ କରନ୍ତି । କେତେବେଳେ ସେ ନାୟକ/ନାୟିକାଙ୍କ ଭାଇ ହୋଇ ତ କେତେବେଳେ ଦାଦା ହୋଇ ଦର୍ଶକଙ୍କ ମନ କିଣିଛନ୍ତି । ସେ ୨୦ରୁ ଉର୍ଦ୍ଧ୍ବ ସିନେମାରେ ନିଜର ଅଭିନୟର ଯାଦୁଗିରି ପ୍ରଦର୍ଶିତ କରିଛନ୍ତି । ତାଙ୍କ ଅଭିନୀତ “ରାଣ୍ଡି ପୁଅ ଅନନ୍ତା” ଦର୍ଶକଙ୍କ ବେଶ୍ ମନ ଛୁଇଁଥିଲା । ଏହା ସହ କେତେକ ଉଲ୍ଲେଖନୀୟ ସିନେମା ଯଥା-: ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍ ଏକ୍ସପ୍ରେସ୍’ ଆଦି । ତାଙ୍କ ଅଭିନୀତ ଆଲବମ୍ ଏ ଗଉରାଟ୍ଟ ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା ।