“ସମ୍ଭାବନା ପରିବାର” ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ସଡକ ସୁରକ୍ଷା ଜୀବନ ରକ୍ଷା । ଲୋକଙ୍କୁ ଗୋଲାପ ଏବଂ ଚକୋଲେଟ୍ ଦେଇ ସଚେତନତା ବାର୍ତ୍ତା ଦେଲେ ଜଟଣୀ ଥାନା ଅଧିକାରୀ I ଜଟଣୀର ସ୍ଵେଚ୍ଛାସେବୀ ସଂଗଠନ “ସମ୍ଭାବନା ପରିବାର” ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ସଡକ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା । ଜଟଣୀ ସ୍ଥିତ ପୋଷ୍ଟ ଅଫିସ ଛକ ନିକଟରେ ଥିବା ମୋ ଜଟଣୀ ଫଳକ ସମ୍ମୁଖରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଥାନା କର୍ମଚାରୀ, ଆଇନଜୀବୀ, ଓଡିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଲିଫଲେଟ୍, ଚକୋଲେଟ୍ ଏବଂ ଗୋଲାପ ଫୁଲ ବଣ୍ଟନ କରି ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂହ, ଜଟଣୀ ବାର ଆସୋସିଏସନ୍ ସମ୍ପାଦକ ବିଜୟ କୁମାର ମହାପାତ୍ର, ଅଧିବକ୍ତା ଅକ୍ଷାଂଶୁ ଶେଖର ନାୟକ, ବିଶିଷ୍ଟ ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ, ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅନିଲ କୁମାର ହାତୀ ପ୍ରମୁଖ ଉପସ୍ଥିତ ଥିଲେ l