ପେଟପୁରା ଖାଇବା ନ ମିଳିବାରୁ ଛାତ୍ରାବାସ ଛାଡିଲେ ଛାତ୍ର

କୋରାପୁଟ (ସୁନୀଲ ଦାଶ, ବିଘ୍ନେଶ୍ୱର ଷଡ଼ଙ୍ଗୀ): ବୈପାରିଗୁଡା ଅଞ୍ଚଳରୁ ଆସିଛି ବିକଳଚିତ୍ର । ବିଦ୍ୟାଳୟର ଛାତ୍ରାବାସରେ ପେଟ ପୁରା ଖାଇବା ନ ପାଇ ଛାତ୍ରାବାସ ଛାଡ଼ୁଛନ୍ତି ଛାତ୍ର । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଛାତ୍ରାବାସରୁ ଛାତ୍ର ବାହାରକୁ ଚାଲିଯାଉଛନ୍ତି ଅଥଚ ୱାଡେନ କି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏ କଥା ଅଛପା । ବୈପାରିଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଭଳି ବିକଳ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ୪୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରାବାସରେ ଦଣ୍ଡାବାଡ଼ି, କୁନ୍ଧାନପୁର ଓ ମୋଦା ଗାଁରୁ ୩୯ ଜଣ ଛାତ୍ର, ଛାତ୍ରାବାସରେ ରହି ପାଠ ପଡୁଥିଲେ । ଏମାନଙ୍କୁ ମାସ ମାସ ଧରି ଛାତ୍ରାବାସରେ ଠିକ ଭାବେ ଖାଇବାକୁ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ପ୍ରତି ରବିବାର ୩୯ ପିଲାଙ୍କ ପାଇଁ ରନ୍ଧା ହୋଇଥାଏ ମାତ୍ର ୧ କେଜି ମାଂସ । ଏ ନେଇ ପିଲାମାନେ ୨ ମାସ ତଳେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପରେ ମଧ୍ୟ ପେଟପୁରା ଖାଇବାକୁ ନ ପାଇ ଶେଷରେ ହଷ୍ଟେଲ ଛାଡ଼ି ଚାଲିଯାଇଥିଲେ ଛାତ୍ର । ସେମାନଙ୍କୁ ବୈପାରିଗୁଡା ପୋଲିସ ଉଦ୍ଧାର କରି ଛାତ୍ରାବାସରେ ଛାଡିଥିବାବେଳେ ମୋଦା ଗାଁରୁ ୧୧ଜଣ ଛାତ୍ରକୁ ବୁଝାସୁଝା କରି ଆଣିବାରେ ସଫଳ ହୋଇଛନ୍ତି ପ୍ରଧାନ ଶିକ୍ଷତୟତ୍ରୀ ।
ଉପାନ୍ତ ଅଂଚଳର ଗରିବ ଆଦିବାସୀ ପିଲାମାନଙ୍କୁ ସ୍କୁଲ ମୁହାଁ କରାଇବା ଲାଗି ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ରହିବା, ଖାଇବା ସମେତ ପୋଷାକ, ବହି ଖାତା ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା କରିଛନ୍ତି । ଛାତ୍ରାବାସରେ ଛାତ୍ରଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି ସରକାର । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ରାଜ୍ୟରେ ସ୍ମାର୍ଟସ୍କୁଲ ଓ 5T ବ୍ୟବସ୍ଥା କରି ବାଃ ବାଃ ସାଉଣ୍ଟୁଛନ୍ତି । ହେଲେ ବାସ୍ତବରେ ଏହାର କିଭଳି ପରିଚାଳନା ହେଉଛି ତାହା ବୈପାରିଗୁଡା ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରୁ ସ୍ପଷ୍ଟ ବାରି ହୋଇପଡୁଛି ।
ଅପରପକ୍ଷେ ବିଦ୍ୟାଳୟ ଛାତ୍ରାବାସର କିଛି ପିଲା ଅନୁପସ୍ଥିତ ଥିବା କଥା ସହକାରୀ ଶିକ୍ଷୟତ୍ରୀ ସ୍ବୀକାର କରିଥିବା ବେଳେ ସେମାନ ଛାତ୍ରାବାସ କାହିଁକି ଛାଡିଲେ ସେ ନେଇ ଅଜ୍ଞ ଥିବା ସେ ପ୍ରକାଶ କରିଛନ୍ତି । ତେବେ ଛାତ୍ରାବାସରୁ ଛାତ୍ର କାହିଁକି ଯାଇଥିଲେ ତାହାର ତଦନ୍ତ ଦାବି ହୋଇଥିବାବେଳେ ପ୍ରଧାନଶିକ୍ଷୟତ୍ରୀ ଏ କଥା ଜାଣିପାରିଲେ ନାହିଁ କେମିତି ବୋଲି ପ୍ରଶ୍ନ କରିଛନ୍ତି କିଛି ଅଭିଭାବକ । ଏବଂ MDM ବ୍ୟବସ୍ଥାରେ ଆସୁଥିବା ଅର୍ଥକୁ କିଏ ଆତ୍ମସାତ କରି ଛାତ୍ରଙ୍କ ପେଟ ମାରୁଛି ତାହାର ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ବୈପାରୀଗୁଡା ବ୍ଲକରେ ଛାତ୍ରମାନେ ଛାତ୍ରାବାସ ଛାଡିବା ଭଳି ଘଟଣା ଅନେକ ଥର ନଜିର ରହିଛି । ତେବେ ବ୍ଲକରେ ଏଭଳି ଘଟଣାକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଜରୁରୀ ।