ଗୋଟେପଟେ ପ୍ରତିଷ୍ଠା ଦିବସ, ଅନ୍ୟପଟେ ବନ୍ଧୁ ମିଳନ ! ଦଳ ମଧ୍ୟରେ କୁହୁଳୁଛି କି ଧୂଆଁ ?

ବେଗୁନିଆପଡା (ବାପୁନି କୁମାର ମାଲୁ): ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ପଂଚାୟତର ଗିଲିଣ୍ଡା ବଜ୍ରଷଣ୍ଡ ଠାକୁରାଣୀ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ସରପଞ୍ଚ ନୀଳେନ୍ଦ୍ରୀ ସେଠି, ପଂଚାୟତର ବିଜେଡି ସଭାପତି ଅଭିମନ୍ୟୁ ଭୂୟାଁ, ପୂର୍ବତନ ସରପଞ୍ଚ ସରୋଜ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ନାରାୟଣ ସୁମନ୍ତରାୟ, ସମାଜସେବୀ କେ.ପ୍ରଶାନ୍ତ କୁମାର ପାତ୍ର, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁ, ବାପି ସୁମନ୍ତରାୟ, ସୁମିତ୍ରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପଂଚାୟତରେ ବନ୍ଧୁ ମିଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ପଂଚାୟତର ଉନ୍ନତି, ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ବୋଲି ସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ । କୋଦଳାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଅଙ୍ଗାରଗାଁରେ ସେହି ସମୟରେ ସମାନ୍ତରାଳ ଭାବେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେଉଥିବାରୁ ଦଳରେ କେଉଁଠି ନା କେଉଁଠି ଅସନ୍ତୋଷର ଧୂଆଁ ରହିଥିବା ସାଧାରଣରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଏହି ବନ୍ଧୁ ମିଳନରେ ପଂଚାୟତର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।