୧୯ ରେ ଆନ୍ଦୋଳନ କରିବେ ଚାଷୀ

ବେଗୁନିଆପଡା (ବାପୁନି କୁମାର ମାଲୁ): ୧୮ ତାରିଖ ଭିତରେ ଧାନ ନ ଉଠିଲେ ୧୯ ତାରିଖରେ ବ୍ଲକ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ଦେବେ ଚାଷୀ । ଚାଷୀଟିଏ ଝାଳବୁହାଇ ସୁନାର ଫସଲ ଅମଳ କରେ । ଆଉ ତାକୁ ବିକି ଯାହା ଦୁଇ ପଇସା ରୋଜଗାର କରେ ସେଥିରେ ତାର ପରିବାର ଚଳେ । ସରକାର ଚାଷୀଙ୍କ ଏହି କଷ୍ଟକୁ ଲାଘବ କରିବା ଲାଗି ଧାନ ମଣ୍ଡିର ବ୍ୟବସ୍ଥା କରିଛନ୍ତି । ଯଦ୍ବାରା ଚାଷୀ ସିଧାସଳଖ ଭାବେ ଧାନ ବିକ୍ରି କରି ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଦି ପଇସା ରୋଜଗାର କରି ଖୁସିରେ ଚଳିବପାରିବ । ହେଲେ ବାରମ୍ବାର ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ କରୁଛନ୍ତି ଚାଷୀ । କେବେ ମିଲରଙ୍କ ଦେଖା ନାହିଁ ତ କେବେ କଟନୀ-ଛଟନୀର ଶିକାର । ଆଉ କେତେ ସହିବ ଚଷା ଭାଇ ।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଶାଖା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ବେଗୁନିଆପଡ଼ା ବ୍ଳକ ଓ କୋଦଳା ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଉକ୍ତ ଦାବିପତ୍ରର ନକଲ କୋଦଳା ତହସିଲଦାର, ଗଞ୍ଜାମ ଜିଲ୍ଲାପାଳ, ଚିଫ୍ ସିଏସ୍ଓ ଗଞ୍ଜାମ ଏବଂ ଡିଆରସିଏସ୍ ବ୍ରହ୍ମପୁରଙ୍କୁ ଦିଆଯାଇଛି । ଉକ୍ତ ଅଞ୍ଚଳରେ ଧାନମଣ୍ଡି ସମସ୍ୟା ଉଗ୍ର ରୂପ ନେଇଛି । ମିଲରମାନେ ଠିକ୍ ଭାବେ ଧାନ କ୍ରୟ କରୁନଥିବା ଯୋଗୁଁ ଆସନ୍ତା ୨୧ ତାରିଖରୁ ଚାଷୀଙ୍କ ଟୋକେନ୍ ଲାପସ୍ ହେବାକୁ ଯାଉଛି । ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ଜମା କରିଥିବା ବେଳେ ଧାନ କେବେ ବିକ୍ରି ହେବ ସେ ନେଇ ଚିନ୍ତାରେ ରହିଛନ୍ତି । ଆଉ ମାତ୍ର କେଇ ଦିନ ପରେ ଟୋକେନ୍ ଲାପସ୍ ହେବାକୁ ଯାଉଥିବା ବେଳେ ତୁରନ୍ତ ଧାନମଣ୍ଡିରୁ ଧାନ ଉଠାଇବାକୁ ଦାବି କରିଛି ଋଷିକୁଲ୍ୟା ରୟତ ମହାସଭା ।
କୋଦଳା ଏନଏସି, ସୁମଣ୍ଡଳ, ବେଲପଡ଼ା, ବୁରୁଝୁରୀ ପାକସ୍ ର ଶତାଧିକ ଚାଷୀ ବେଗୁନିଆପଡ଼ା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ନାରାବାଜି ଦେବା ସହିତ ପ୍ରଶାସନ ବିରୁଦ୍ଧରେ ବର୍ଷିଛନ୍ତି । ଟୋକେନ୍ ଲାପସ୍ ହେବା ପୂର୍ବରୁ ଯଦି ଚାଷୀଙ୍କ ଧାନ କ୍ରୟ ନ କରାଯାଏ ତେବେ ଚାଷୀମାନେ ଧାନ ବସ୍ତା ଗୁଡିକ ବ୍ଲକ ସମ୍ମୁଖରେ ରଖି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।