କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉଦଘାଟିତ

କଳାହାଣ୍ଡି (ଶୋଭିତ ଗାନ୍ଧୀ): ଧର୍ମଗଡ଼ରେ ଉପଖଣ୍ଡସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ନେଇ ହେଉଥିବା ଘୁମୁରା ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ୍ଦ ଦୟାନନ୍ଦ, ଛତିଶଗଡ ଦେଭୋଗ ଉପଖଣ୍ଡ ଅଧିକାରୀ ଅର୍ପିତା ପାଠକ ପ୍ରମୁଖ ଯୋଗ ଦେଇ କଳାହାଣ୍ଡିର ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ ।

ଏଥିରେ ଧର୍ମଗଡ଼ ଉତ୍ସବ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ବେଦଭୁଷଣ ସ୍ବାଗତ ଭାଷଣ ଦେବା ସହିତ କଳାହାଣ୍ଡି ଉତ୍ସବ ଘୁମୁରାର ଉଦ୍ଦେଶ୍ୟ ବିଷୟରେ ମତ ପୋଷଣ କରିଥିଲେ । ଏହାସହ ସମସ୍ତେ ମିଳିମିଶି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଉପଭୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସ୍ମରଣିକା “କଲାଝରନ”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ କଲମପୁର ଘୁମୁରା, ବରଗଡ଼ର ମାଦଳିଆ, ଆସାମର ବିହୁ, ମୟୂରଭଞ୍ଜର ମାଲଖମ୍, ଝାଡଖଣ୍ଡର ଝୁମର ନୃତ୍ୟ, ମାଁ ଲକ୍ଷ୍ମୀ ବଜାସାଳ ଜୁନାଗଡ଼ ପରିବେଷିତ ହୋଇଥିବାବେଳେ ରୁକୁସୁନା ମେଲୋଡି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରାଇଥିଲା ।