ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ଡେ ଆଟ୍ ସି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଶ୍ରୀରାଜ ସାହୁ): ଦେଶର ଉପକୂଳ ସୁରକ୍ଷା କ୍ଷେତ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ଉଲ୍ଲେଖନୀୟ ଅବଦାନ ରହିଛି । ୪୭ ତମ ପ୍ରତିଷ୍ଠା ଦିବସ ଅବସରରେ ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ଡେ ଆଟ୍ ସିର ଦୁଇ ଦିନିଆ ସମର ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟକଳାପଗୁଡିକୁ ଜନସାଧାରଣଙ୍କୁ ଅବଗତ କରାଯିବା ସହିତ ଗୋଟିଏ ଦିନ ପାଁଇ ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀର ଅଧିକାରୀମାନେ ନିଜ ପିରବାର ସହିତ ରହିବାର ସୁଯୋଗ ପାଇଛନ୍ତି । ଯାହକୁ ନେଇ ଜନ ସାଧାରଣ ତଟରକ୍ଷୀ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ଭାରତୀୟ ତଟରକ୍ଷୀ ବାହିନୀ ଦେଶର ଉପକୂଳରେ ଏକ ସଜାଗ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଆସୁଛି । ୧୯୭୭ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ଭାରତୀୟ ତଟରକ୍ଷୀ ବାହିନୀ ପ୍ରତିଷ୍ଠା ହୋଇଥିଲା । ସେହି ଦିନକୁ ସ୍ମରଣ ରଖିବା ପାଇଁ ଏବଂ ତଟରକ୍ଷୀ ବାହିନୀର କାର୍ଯ୍ୟକଳାପ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ପ୍ରତ୍ୟେକ ବର୍ଷ ସମୁଦ୍ର ମଧ୍ୟରେ ଦିନଟିଏ (ଡେ ଆଟ୍ ସି) କାର୍ଯ୍ୟକ୍ରମ କରାଯାଇ ଆସୁଅଛି ।
ବିଗତ କିଛି ବର୍ଷ ହେଲା କୋଷ୍ଟଗାର୍ଡ ସମୁଦ୍ର ଉପକୂଳରେ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାରେ ସଫଳ ହୋଇଛି । ଯାହା ଫଳରେ ଭାରତୀୟ ତଟରକ୍ଷୀ ବାହିନୀ ବିଶ୍ବରେ ଚତୁର୍ଥ ସ୍ଥାନ ବଜାଏ ରଖିଛି । ଏହି କୋଷ୍ଟ ଗାର୍ଡ କେବଳ ଉପକୂଳ ସୁରକ୍ଷା ନୁହେଁ, ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇବା ସହିତ, ପ୍ରଦୂଷଣ ରୋକିବା, ବେଆଇନ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବା ସହିତ ନୌବାଣିଜ୍ୟ ଜୋନ ଗୁଡିକରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛି ।
ଦେଶର ଉପକୂଳ ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାମିଲ କରିବା, ସମୁଦ୍ର ତଟକୁ ପ୍ରଦୂଷଣ ମୁକ୍ତ କରିବା ଭଳି ଅନେକ କାର୍ଯ୍ୟ କରିବାରେ ତଟରକ୍ଷୀ ବାହିନୀର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହାସହିତ ନିଜ ପରିବାର ଲୋକଙ୍କ ସହିତ ଗୋଟିଏ ଦିନ ସମୁଦ୍ରରେ ରହିବାର ସୁଯୋଗ ଦେବା ପାଇଁ ଏହି ପ୍ରତିଷ୍ଠା ଦିବସ ଅବସରରେ ଡେ ଆଟ୍ ସି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି ବୋଲି କୋଷ୍ଟ ଗାର୍ଡର ବରିଷ୍ଠ ଅଧିକାରୀ କହିଛନ୍ତି ।