ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ବୟାନ ରେକର୍ଡ

ସାଲେପୁର (ଅଭୟ ଜେନା): ସାଲେପୁରର ଜଣେ କଲେଜ ଛାତ୍ରୀ ଅଚେତ ଅବସ୍ଥାରେ ଏକ ଆବର୍ଜନା ଗୃହରୁ ଉଦ୍ଧାର ହେବା ଘଟଣା ପରେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରୀର ବୟାନ ଅନୁଯାୟୀ ତାଙ୍କର ସମ୍ପର୍କୀୟ ସାଲେପୁର ଥାନାରେ ଏତଲା ଦେଇଛନ୍ତି । ଛାତ୍ରୀ ଜଣଙ୍କ କହିବା ଅନୁଯାୟୀ, କଲେଜ ସାରି ବସ୍ ଷ୍ଟାଣ୍ଡ ନିକଟରେ ବସ୍ ପାଇଁ ଅପେକ୍ଷାରତ ଥିଲେ । ଏହି ସମୟରେ ପ୍ରଥମେ ଦୁଇଜଣ ଲୋକ ତାକୁ ଡାକିଥିଲେ । ସେ ନ ଶୁଣିବାରୁ ଆଉଜଣେ କଲେଜ ଡ୍ରେସପିନ୍ଧା ଝିଅ ଆସି ତାଙ୍କୁ ଡାକିଥିଲେ । ପୀଡିତା ଜଣକ କିଛି ବାଟ ସେ ଝିଅ ସହ ଯିବା ପରେ ତାଙ୍କୁ ପଛପଟୁ କିଛି ଲୋକ କୌଣସି ଜିନିଷ ସୁଂଘାଇ ଚେତାଶୂନ୍ୟ କରି ଦେଇଥିଲେ ।
ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗିଦେଲା ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ପୁଲିସ୍ ଆବର୍ଜନା ଗୃହରୁ ଛାତ୍ରୀଙ୍କ କଲେଜ ବ୍ୟାଗ୍ ଓ ମୋବାଇଲ୍ ଜବତ କରି ଆବର୍ଜନା ଗୃହରେ ଛାନ୍ଭିନ୍ ଚଳାଇଥିବାବେଳେ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବସ୍ତିର ସରଦାର ଦାବି କରିଛନ୍ତି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ଏକ ଆବର୍ଜନା ଗୃହ ଭିତରୁ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ ଉଦ୍ଧାର କରି ସାଲେପୁର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।