ସ୍ବାଭାବିକ ହେଉଛି ସମ୍ବଲପୁର କୋର୍ଟ, ଲୋକେ ଆଶ୍ୱସ୍ତି

ସମ୍ବଲପୁର: ଦୀର୍ଘଦିନର ଅଚଳାବସ୍ଥା ପରେ ଆଜିଠାରୁ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଆନୁଷ୍ଠାନିକ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି । ମାତ୍ର କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ କିଛି ପୁଲିସ୍ କର୍ମୀ ସମ୍ବଲପୁର କୋର୍ଟରେ ମୁତୟନ ହୋଇଛନ୍ତି । ଗତ ଡିସେମ୍ବର ୭ରୁ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।
ପାଖାପାଖି ୨୭ ଦିନ ଧରି କୋର୍ଟ କାମ ବନ୍ଦ ରହିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏବେ କୋର୍ଟ କାମ ପୁଣିଥରେ ଆରମ୍ଭ ହେଉଥିବାରୁ ଲୋକେ ଆଶ୍ୱସ୍ତି ହୋଇଛନ୍ତି । ଦୀର୍ଘ ଦିନ ପରେ ନୋଟାରୀ ଖୋଲିଥିବା ବେଳେ ସାଧାରଣ ଲୋକେ ବି କୋର୍ଟ ଆଡ଼େ ମୁହାଁଇଛନ୍ତି । ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ଗତ ୧୨ରେ ଏହା ଭିନ୍ନମୋଡ଼ ନେଇଥିଲା । ଏଥିରେ ବିଭିନ୍ନ ସଂଗଠନ ଓ ସାଧାରଣ ଲୋକ ସାମିଲ ହେବା ପରେ ସେହିଦିନ କଚେରୀ ଛକରେ ହିଂସା ଦେଖିବାକୁ ମିଳିଥିଲା । ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ପରିସରରେ ଓକିଲମାନେ ଧସେଇ ପଶି ଭଙ୍ଗାରୁଜା କରିଥିଲେ ।
ଏ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ପରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ଏପରିକି ଡିସେମ୍ବର ୧୪ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ଓଡ଼ିଶାରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ସ୍ଥାପନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଜଷ୍ଟିସ୍ ଏସ୍.କେ କାଉଲ୍ ଓ ଜଷ୍ଟିସ୍ ଏ.ଏସ୍ ଓକାଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ । ଘଟଣାରେ ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ପୁଲିସ୍ ୨୭ରୁ ଅଧିକ ଓକିଲଙ୍କୁ ଗିରଫ କରିଥିଲା ।