ଜୋର ଧରିଲା ସାଲେପୁରକୁ ରାଜସ୍ବ ସବଡ଼ିଭିଜନ ଘୋଷଣା କରାଯିବା ଦାବି

ସାଲେପୁର (ଅଭୟ ଜେନା): ଆମ ରାଜ୍ୟର ଏକ ସ୍ବନାମଧନ୍ୟ ତଥା ପୁରାଣ ବର୍ଣ୍ଣିତ ସ୍ଥାନ ଭାବେ କଟକ ଜିଲ୍ଲା ସାଲେପୁର ସହରର ଖ୍ୟାତି ରହିଛି । ବିଭିନ୍ନ ଦୃଷ୍ଟିକୋଣରୁ ସାଲେପୁରକୁ ରାଜସ୍ବ ମାନ୍ୟତା ପ୍ରଦାନ କରାଯିବାକୁ ବାରମ୍ବାର ଦାବି ହୋଇଆସୁଥିବାବଳେ ଏହାକୁ କାର୍ଯ୍ୟକାରୀ କରାଯିବା ନିମନ୍ତେ ସରକାରୀ କ୍ଷେତ୍ରରେ ଦୃଢ଼ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବା ସାଲେପୁରବାସୀ ଅଭିଯୋଗ କରିଛନ୍ତି । ଏ ନେଇ ବରିଷ୍ଠ ଆଇନଜୀବୀ ବିଜୟ କେତନ ନାୟକଙ୍କ ପୌରୋହିତ୍ୟରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ସାମ୍ବାଦିକମାନଙ୍କୁ ନେଇ ଏକ ସମାବେଶ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ସବଡ଼ିଭିଜନ ହେବାଦ୍ବାରା ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କିଶନନଗର ତହସିଲ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଏହି ବୈଠକରେ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ମତବ୍ୟକ୍ତ କରିଥିଲେ । ଏଣୁ ଆଗାମୀ ଦିନରେ ଉକ୍ତ ଦାବିକୁ ନେଇ କ୍ରିୟାନୁଷ୍ଠାନ କମିଟି ଖୁବ୍ ଶୀଘ୍ର ଅଭିଯାନ ଆରମ୍ଭ କରିବ ବୋଲି ମତ ପ୍ରକାଶ ପାଇଛି ।