ଯୁକ୍ତ ୨ ଅଫଲାଇନ୍ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ; କରୋନା ସ୍ଥିତି ଫେରିଲେ ସଂସ୍କାରରେ ହେବ ପରିବର୍ତ୍ତନ

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଏବେ କରୋନାର ଚତୁର୍ଥ ଲହର ଚାତ୍ରଛାତ୍ରୀଙ୍କ ଚିନ୍ତା ବଢାଇଛି । ଦୀର୍ଘ ତିନି ବର୍ଷ ପରେ ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସ୍ରେ ଅଫଲାଇନ୍ ପରୀକ୍ଷା ଦେବାକୁ ଉତ୍ସୁକ ଥିବାବେଳେ କରୋନା ଯୋଗୁଁ ପରୀକ୍ଷା ସୁଚାରୁ ରୂପେ ସମ୍ପାଦନ ହୋଇ ପାରିବ ନା ନାହିଁ ତାକୁ ନେଇ ଦେଖାଦେଲାଣି ଦ୍ୱନ୍ଦ୍ୱ ।
ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କରୋନାକୁ ନେଇ ଯଦି ସରକାର କିଛି କଡ଼ାକଡ଼ି ନିୟମ ଲାଗୁ କଲେ ତେବେ ଏହା ସେମାନଙ୍କ ମନୋବଳ ଭାଙ୍ଗିବ ବୋଲି ଏକପ୍ରକାରର ଶଙ୍କା ଦେଖାଦେଇଛି । ଏବଂ ଏହାର ପ୍ରଭାବ ସେମାନଙ୍କ ଫଳାଫଳ ଉପରେ ପଡ଼ିବାର ଆଶଙ୍କା ଥିବା ମଧ୍ୟ ଛାତ୍ରଛାତ୍ରାଙ୍କ ମହଲରେ ଚର୍ଚ୍ଚାର କେନ୍ଦ୍ର ପାଲିଟିଛି ।
ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ନିମନ୍ତେ ଯଦିଓ ଦୁଇ ମାସ ପୂର୍ବରୁ ଘୋଷଣା ହୋଇ ସାରିଛି, ତଥାପି ପିଲାଙ୍କର ସବୁ ଦ୍ୱନ୍ଦ୍ୱ ଦୂର ହୋଇନି । ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ନିମନ୍ତେ କେତୋଟି ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା କେନ୍ଦ୍ର ହେବ ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହେବ । ଅପରପକ୍ଷେ କପି ରୋକିବା ଲାଗି ସବୁଥର ଭଳି ଏଥର ବି ଫ୍ଲାଇଂ ସ୍କ୍ୱାର୍ଡ ବ୍ୟବସ୍ଥା ହେବ । ପରୀକ୍ଷାକୁ ଶୃଙ୍ଖଳିତ କରିବାସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।
ତେବେ ଯଦି କୋଭିଡ ପରିସ୍ଥିତି ଫେରେ ତେବେ ସ୍ବାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ । ଚୀନରେ ମହାମାରୀ କରୋନା କରାଳ ରୂପ ଧାରଣ କରି ସାରିଥିବା ବେଳେ ଦେଶରେ କେତେବେଳେ ବି ସ୍ଥିତି ବିଗିଡି ଯିବାର ଆଶଙ୍କା ଦେଖାଦେଇଛି । ଏହାବାଦ ଯେଉଁସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ନାହିଁ ସେଠାରେ ପରୀକ୍ଷାରେ ସ୍ୱଚ୍ଛତା ରଖିବା ବି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ବାରମ୍ବାର ପ୍ରଶ୍ନପତ୍ର ଲିକ୍କୁ ନେଇ ପରିଷଦକୁ ବିଷମ ସ୍ଥିତିର ସାମ୍ନା କରିବାକୁ ପଡୁଛି ।
ଅନ୍ୟପକ୍ଷେ ମାର୍ଚ୍ଚ ୧୦ରୁ ୧୯ ଯାଏଁ ୧୦ ଦିନ ପରୀକ୍ଷା ବନ୍ଦ ରହିବ । ଏହି ସମୟରେ ମାଟ୍ରିକ୍ ସମେଟିଭ୍- ୨ ପରୀକ୍ଷା ହେବାର ସମ୍ଭାବନା ରହିଛି । ପ୍ରଶାସନିକ ପରିଚାଳନା ଦୃଷ୍ଟିରୁ ଏହି ୧୦ ଦିନ ପରୀକ୍ଷା ବନ୍ଦ ରହିବ । ତେବେ ଏହାଦ୍ୱାରା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଉପରେ ପ୍ରଭାବ ପଡିପାରେ ବୋଲି ଶିକ୍ଷାବିତ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ।