ବେହେରା ଦଣ୍ଡପାଟ ଧନୁଯାତ୍ରା ଉଦଯାପିତ

କଳାହାଣ୍ଡି (ଶୋଭିତ ଗାନ୍ଧୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକରେ ଧୁମଧାମର ସହ ପାଳିତ ହୋଇଯାଇଛି ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୭ ଦିନ ଧରି ଆୟୋଜିତ ମହାସମାରୋହରେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବରଗଡରେ ଅନୁଷ୍ଠିତ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବାବେଳେ ଧର୍ମଗଡରେ ପୁରାଣ ଆଧାରିତ ନାଟକ ସହ କଂସର ରାଜତ୍ୱ ଲୋକଙ୍କ ମନ ମୋହିଥିଲା । ଏହି ଅବସରରେ କଂସ ମହାରାଜଙ୍କ ଦରବାରରେ ଉପସ୍ଥିତ ଅତିଥି ତାଙ୍କର ବକ୍ତବ୍ୟରେ ତ୍ରୁଟି କଲେ ତାଙ୍କୁ କଂସ ମହାରାଜ ଅର୍ଥ ଦଣ୍ଡରେ ଦଣ୍ଡିତ କରୁଥିଲେ । କଂସ ମହାରାଜଙ୍କ ଶାସନ ସାଙ୍ଗକୁ ମୀନା ବଜାର ଦର୍ଶକଙ୍କୁ ଭରପୁର ଆନନ୍ଦ ଦେଇଥିଲା ।
ଉଦଯାପନି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ବିଶିଷ୍ଟ ଅତିଥିଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥିଭାବେ ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ, ଶିକ୍ଷାବିତ୍ କାମେଶ୍ୱର ସିଂ, ମୁଖ୍ୟବକ୍ତା ଭାବେ ଗୋତୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ, ଦଣ୍ଡପାଟ ଧନୁଯାତ୍ରା କମିଟି ସଭାପତି ଭବେଶ ଗଇଁତା, ସଂପାଦକ ବିନ୍ଦୁସାର ବିଶି ପ୍ରମୁଖ ଯୋଗ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ଓଡ଼ିଶାର କଳା, ଐତିହ୍ୟ ଏବଂ ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ବେହେରା ଧନୁଯାତ୍ରା କମିଟିର ସମସ୍ତ କର୍ମକର୍ତାଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।