ବର୍ଷ ୨୦୨୨ କ’ଣ ଦେଇଛି, କ’ଣ ନେଇଛି …

ଚାହୁଁ ଚାହୁଁ ବିତିଗଲା ୨୦୨୨ । ୨୦୨୨ର କିଛି ସ୍ମୃତି ଇତିହାସ ରଚିଥିବାବେଳେ ଅନେକଙ୍କୁ ପ୍ରେରଣା ଯୋଗାଇଛି । ତ ଆଉ କିଛି ସ୍ମୃତି ସମସ୍ତଙ୍କ ଆଖିରେ ଲୁହ ଭରିଛି । ବର୍ଷ ୨୦୨୨ ଦୃଢ ପରିଶ୍ରମ ବଳରେ ସଫଳତାର କାହାଣୀ ଶିଖାଇଥିବାବେଳେ, ପ୍ରେମ ପ୍ରତାରଣାର କରୁଣ ଏବଂ ଦୟନୀୟ ପରିସ୍ଥିତି ଲୋକଙ୍କୁ କିଛି କରିବା ଆଗରୁ ବହୁବାର ଚିନ୍ତା କରିବା ଶିଖାଇଛି ।
ଯୁଦ୍ଧର ଭୟାବହତା ଭିତରେ ଅନେକ ଘଟଣା ନୂଆ ଦିଗନ୍ତ ପ୍ରଦାନ କରିଥିଲା । କିଏ ହିରୋ ପାଲଟିଥିଲେ ତ କିଏ ସାରା ବିଶ୍ବକୁ ଗର୍ବିତ କରାଇଥିଲେ ।
- ବ୍ରିଟେନରେ ଗୋଟିଏ ପଟେ ଦେଶ ନିଜର ପ୍ରିୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ୯୬ ବର୍ଷ ବୟସରେ ହରାଇ ଦୁଃଖରେ ଥିବାବେଳେ ମାତ୍ର ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଦେଶକୁ ଗୌରବାନ୍ବିତ କରିଥିଲେ ।
- ୨୦୨୨ରେ ଜିନପିଙ୍ଗ ପୁରୁଣା ନିୟମ ବଦଳାଇ କ୍ରମାଗତ ତୃତୀୟଥର ପାଇଁ ଚାଇନାର ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବା ସହ ଚାଇନାର ଇତିହାସ ପରିବର୍ତ୍ତନ କରିଥିଲେ । ଅପରପକ୍ଷେ ଚାଇନା ସରକାରଙ୍କ ଜିରୋ କୋଭିଡ୍ ପଲିସିକୁ ନେଇ ରାସ୍ତାରେ ପ୍ରଥମଥର ଲାଗି ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
- ୨୦୨୨ର ସବୁଠାରୁ ବଡ଼ ଓ ଭୟଙ୍କର ଘଟଣା ହେଉଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରୁଷ ଆକ୍ରମଣରେ ୟୁକ୍ରେନର ଏକାଧିକ ସହରରେ ବ୍ୟାପକ କ୍ଷୟକ୍ଷତି ଘଟି ଶତାଧିକ ଲୋକ ପ୍ରାଣ ହରାଇଥିବାବେଳେ ୟୁକ୍ରେନ୍ ସେନା ଏପର୍ଯ୍ୟନ୍ତ ଆକ୍ରମଣର ଜବାବ୍ ଦେଇଚାଲିଛନ୍ତି ।
- ଅପରପକ୍ଷେ କମେଡିଆନରୁ ରାଷ୍ଟ୍ରପତି ହୋଇଥିବା ଜେଲେନସ୍କିଙ୍କୁ ପୂରା ବିଶ୍ୱରେ ଯୁଦ୍ଧର ହିରୋ ଭାବେ ଚିତ୍ରଣ କରାଯାଇଛି । ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱରେ ସପ୍ଲାଇ ଚେନ୍ ପ୍ରଭାବିତ ହୋଇଥିବାବେଳେ ଦରଦାମ ବୃଦ୍ଧି ଭାରତ ସମେତ ଏକାଧିକ ରାଷ୍ଟ୍ରରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ମହାମାରୀ କରୋନା ପରେ ୟୁକ୍ରେନ ଓ ରୁଷ ଯୁଦ୍ଧ କେତେକାଂଶରେ ବିଶ୍ୱକୁ ଆର୍ଥିକ ମାନ୍ଦାବସ୍ଥା ମଧ୍ୟକୁ ଠେଲି ଦେଇଛି ।
- ୨୦୨୨ରେ ବିଜନେସ୍ ୱାର୍ଲ୍ଡରେ ହଇଚଇ ସୃଷ୍ଟି କରିଥିଲା ଟେସଲା କମ୍ପାନୀର ମାଲିକ ଏଲନ୍ ମସ୍କଙ୍କ ୪୪ ବିଲିୟନ ଡଲାର ଦେଇ ଟ୍ୱିଟର କିଣା ଯୋଜନା । ଟ୍ୱିଟରକୁ ଦଖଲ କରିବା ପରେ ଏହାର ସିଇଓ ପରାଗ ଅଗ୍ରୱାଲ, ସିଏଫଓ ନେଡ ସେଗଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ କମ୍ପାନୀରୁ ବିଦା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିବାଦ । ଟ୍ବିଟରକୁ ନେଇ ତାଙ୍କର ମତ ପରିବର୍ତ୍ତନ କାରଣରୁ ଟ୍ୱିଟରର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ।
ରାଜନୈତିକ ଛକାପଞ୍ଝା ଏବଂ ୭ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ଶେଷ ହେବାକୁ ଯାଉଛି ବର୍ଷ ୨୦୨୨ ।
- ୨୦୨୨ରେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତି ରେକର୍ଡ କରିଥିଲେ । ସେ ପ୍ରଥମ ଓଡ଼ିଆ ଓ ପ୍ରଥମ ଆଦିବାସୀ ମହିଳା ଭାବେ ତଥା ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିଛନ୍ତି ।
- ଅପରପକ୍ଷେ ବର୍ଷ ୨୦୨୨ରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ।
- ୨୦୨୨ ବର୍ଷ ଆରମ୍ଭରୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ । ଏହି ୫ଟି ରାଜ୍ୟରୁ ୪ଟି ସ୍ଥାନରେ ବିଜେପି ବାଜିମାତ୍ କରିଥିବାବେଳେ ପଞ୍ଜାବରେ ଆପ୍ ୯୨ ଆସନ ଜିତି ସରକାର ଗଠନ କରିଥିଲା ।
- ବର୍ଷ ଶେଷ ଆଡକୁ ଗୁଜୁରାଟ ଏବଂ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୁଜରାଟରେ ୧୮୨ ଆସନରୁ ବିଜେପି ଏକତରଫା ଭାବେ ୧୫୬ଟିରେ ବାଜିମାତ୍ କରି ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମୟରେ ବିଜେପି ନିଜ ରେକର୍ଡକୁ ନିଜେ ଭାଙ୍ଗି ଇତିହାସ ରଚିବା ସହ ଗୁଜରାଟରେ କ୍ରମାଗତ ୭ମ ଥର ପାଇଁ ଦଳ ଶାସନ କରିବାକୁ ଜନାଦେଶ ହାତେଇଥିଲା ।
- ଅପରପକ୍ଷେ ହିମାଚଳପ୍ରଦେଶରେ କଂଗ୍ରେସ ବାଜିମାତ୍ କରି ସରକାର ଗଠନ କରିବା ସହ ୨୦୨୪ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସର ଭାଙ୍ଗିଯାଇଥିବା ଦୃଢ ମନବଳକୁ ଶକ୍ତ କରିଛି ।
- କଂଗ୍ରେସର ଭାରତଯୋଡ ଯାତ୍ରା ଯେତିକି ରାଜନୈତିକ ସରଗରମ ସୃଷ୍ଟି କରିଛି କଂଗ୍ରେସର ନୂତନ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ପଦ ସମ୍ଭାଳି ସମସ୍ତଙ୍କୁ କଡା ଜବାବ୍ ଦେଉଛନ୍ତି ।
- ଏହା ସହ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ରାଜନୀତିକ ବୟାନବାଜୀ ଭାରତ ସରକାରଙ୍କୁ ସମାଲୋଚନାର ଶିକାର କରିଥଲା । ଶେଷରେ ବିବାଦ ବଢ଼ିବାରୁ ବିଜେପି ନୂପୁର ଶର୍ମାଙ୍କୁ ବହିଷ୍କାର କରିଥିଲା । ନୂପୁର ଶର୍ମାଙ୍କ ଅଭଦ୍ର ବୟାନକୁ ସମର୍ଥନ କରିଥିବାରୁ ରାଜସ୍ଥାନ ଓ ମହାରାଷ୍ଟ୍ରରେ ଦୁଇ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ନିର୍ମମ ହତ୍ୟାକୁ ମଧ୍ୟ ରାଜନୀତିକ ରଙ୍ଗ ଦିଆଯାଇଥିଲା ।
- ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ମହାରାଷ୍ଟ୍ର ଓ ବିହାରରେ ରାଜନୀତିକ ଚୌକି ପରିବର୍ତ୍ତନ । ପୂରା ଦେଶରେ ଏ ନେଇ ହଟଚମଟ ସୃଷ୍ଟି କରିଥିଲା । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରାୟ ୩୪ ବିଧାୟକ ଓ କିଛି ସାଂସଦ ବିଜେପି ସହ ହାତ ମିଳାଇଥିଲେ । ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ଧବଙ୍କ କ୍ୟାମ୍ପ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ମିଳି ନଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ । ପରେ ବିଜେପି ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଇ ମହାରାଷ୍ଟ୍ରରେ ପୁଣି ସରକାର ଗଠନ କରିଥିଲା ।
- ଓଡିଶାରେ ଏଥର ପଞ୍ଚାୟତ ନିର୍ବାଚନ ସାଙ୍ଗକୁ ମୁନିସିପାଲିଟି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଚଳିତ ଥର ରାଜ୍ୟରେ ଜୋରଦାର୍ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା ।
- ଅପରପକ୍ଷେ ରାଜ୍ୟ ଏ ବର୍ଷ ଦୁଇ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଦେଖିଥିଲା । ଧାମନଗରରେ ବିଜେପିର ବିପୁଳ ବିଜୟ ପରେ ପଦ୍ମପୁରରେ ବିଜେଡିର ଅଙ୍କକଷା ଦଳକୁ ସଫଳତା ଦେଇଥିଲା ।
ପ୍ରେମ ପ୍ରତାରଣାର ଶିକାର
- ପ୍ରେମିକା ତଥା ନିଜ ଲିଭ୍ ଇନ୍ ପାର୍ଟନ ଶ୍ରଦ୍ଧା ୱାକରକୁ ହତ୍ୟା ଘଟଣା ପ୍ରେମ ଉପରେ ଦେଶବାସୀଙ୍କ ଭରସା ଭାଙ୍ଗିଥିଲା । ଅଭିଯୁକ୍ତ ପ୍ରେମିକ ଅଫତାବ ପୁନାୱାଲା ଶ୍ରଦ୍ଧାକୁ କେବଳ ଯେ ହତ୍ୟା କରିଥିଲା ତାହା ନୁହେଁ ହତ୍ୟା କରିବା ପରେ ସେ ତାର ମୃତଦେହକୁ ୩୫ ଖଣ୍ଡ କରି କାଟି ଫ୍ରିଜ୍ରେ ରଖିଥିଲା । ପରେ ଏହାକୁ ରାତିରେ ପଲିଥିନରେ ଭର୍ତ୍ତି କରି ଦିଲ୍ଲୀର ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା । ନଭେମ୍ବର ୧୧ରେ ପୁଲିସ ଅଫତାବକୁ ଗିରଫ କରିବା ସହିତ ହତ୍ୟାର ରହସ୍ୟ ଉନ୍ମୋଚନ କରିଥିଲା ।
- ପ୍ରଥମେ ପ୍ରେମ ଆଉ ତାପରେ ବ୍ରେକଅପ୍ । ଏଥିରେ ଭାଙ୍ଗିଯାଇଥିଲେ ଟେଲି ଅଭିନେତ୍ରୀ ତୁନିଷା ଶର୍ମା । ଆଉ ଶେଷରେ ସେ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ସାଥୀ-ଅଭିନେତା ତଥା ପ୍ରେମିକ ଶିଜାନ୍ ମହମ୍ମଦ୍ ଖାଁଙ୍କୁ ଗିରଫ କରିଥିଲା ପୁଲିସ ।
- ରାଜଧାନୀ ଭୁବନେଶ୍ବରରେ ଏକ ପ୍ରିଣ୍ଟିଂ କମ୍ପାନୀର ମାଲିକାଣୀ ସୁଜାତା ରଥ ଆପାର୍ଟମେଣ୍ଟରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍ରୁ ଝୁଲି ପଡ଼ିଥିଲେ । ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭ୍ଇନ୍ ରିଲେସନ୍ଶିପ୍ରେ ରହୁଥିବାବେଳେ ପ୍ରେମରେ ହତାଶ ହୋଇ ସେ ଜୀବନ ହାରିଥିବା କଥା ଉଠିଥିଲା ।
- ଅପରପକ୍ଷେ ଭଦ୍ରକର ଶ୍ୱେତା ଉତ୍କଳ କୁମାରୀ ପ୍ରେମ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଥିଲେ । ସେ ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ପେସାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ । ଘଟଣାରେ ପୁଲିସ୍ ଶ୍ୱେତାଙ୍କ ମୋବାଇଲ୍ ଫୋନ୍ ଓ ଡାଏରୀ ଜବତ କରିଥିଲେ । ତେବେ ପ୍ରେମିକ ସୌମ୍ୟଜିତଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ଡାଏରୀରେ ଲେଖିଥିଲା ।
- ରାଜଧାନୀରେ ଚହଳ ପକାଇଥିଲା ରୁଚିକା ଆତ୍ୟହତ୍ୟା ଘଟଣା । ଆଇଏଏସ୍ ହେବାର ସ୍ୱପ୍ନ ନେଇ କଟକର ଝିଅ ରୁଚିକା ମହାନ୍ତି ଭୁବନେଶ୍ୱର ଆସିଥିଲେ । ବିଜେବି ମହାବିଦ୍ୟାଳୟରେ ଯୁକ୍ତ ୩ରେ ପଢ଼ୁଥିବା ରୁଚିକା ସିନିୟରଙ୍କ ଟାହିଟାପରା ସହି ନପାରି ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।
- ସେହିପରି ଆଉ ଏକ ଘଟଣା ଥିଲା ପ୍ରେମିକା ପାଇଁ ଜଣେ ପ୍ରମିକର ଆତ୍ମହତ୍ୟା ଘଟଣା । ଯୁବ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକା ତଥା ଗାୟିକା ସୋନାଲି ନନ୍ଦଙ୍କୁ ସମସ୍ତେ ଦାବି କରିଥିଲେ । ଏପରିକି ଏହି ଘଟଣାକୁ ନେଇ ତୁମ୍ୱିତୋଫାନ୍ ମଧ୍ୟ ହୋଇଥିଲା ।
ପ୍ରେମ ପାଇଁ ନାଟ
- ଚଳିତ ବର୍ଷର ଚାଞ୍ଚଲ୍ୟ ଖବର ତଥା ବେଶ୍ କିଛି ଦିନ ପାଇଁ ସୋଶିଆଲ ମିଡିଆର ସନ୍ସେସନ୍ ପାଲଟିଥିଲା ବର୍ଷା ଭୋଳ ଏବଂ ଟୁଙ୍ଗୁରୁ ଭୋଳ ଖବର । ଏମାନଙ୍କ ଖବର ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ, ଏହି ଘଟଣା ପରେ ଦୁହେଁ ଏକପ୍ରକାରର ସେଲିବ୍ରିଟି ବୋଲି ନିଜକୁ ଭାବିନେଇଥିଲେ ।
- ଆଉ ଏକ ଚର୍ଚ୍ଚିତ ଖବର ଥିଲା ବାବୁସାନ୍ ଏବଂ ପ୍ରକୃତି ମିଶ୍ରଙ୍କ ପ୍ରେମ । ଏହି ଖବର ପରେ ଲୋକେ ପ୍ରେମକୁ ନେଇ ଭିନ୍ନ ଭିନ୍ନ ମତ ପ୍ରଦାନ କରିଥିଲେ ।