ପୁଣି ଆସୁଛନ୍ତି ନଡ୍ଡା…

ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ସେ କନ୍ଧମାଳର ତୁମୁଡ଼ିବନ୍ଧ ଓ ଚିଲିକା ବିଧାନସଭା ମଣ୍ଡଳୀର ବାଣପୁରରେ ଜନସଭାକୁ ସମ୍ବୋଧିତ କରିବେ । ଏହାସହିତ କନ୍ଧମାଳର ଜଳେଶପଟ୍ଟା ଆଶ୍ରମର କନ୍ୟାଶ୍ରମକୁ ଉଦଘାଟନ ଓ ବାଣପୁରରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଏହାପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଚିଲିକା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ୍ ପଡ଼ିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ମା’ ଭଗବତୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ନାଚୁଣୀସ୍ଥିତ କଲେଜର ଇନଡୋର ଷ୍ଟାଡ଼ିୟମରେ ଦଳୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେବେ । ସେଠାରୁ ସଡ଼କ ମାର୍ଗରେ ଭୁବନେଶ୍ୱର ଫେରି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଗତ ୩ମାସ ମଧ୍ୟରେ ଶ୍ରୀ ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ନଡ୍ଡା ଗତ ସେପ୍ଟେମ୍ବର ୨୯ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ଶକ୍ତି କେନ୍ଦ୍ର ପ୍ରମୁଖମାନଙ୍କୁ ଭେଟିଥିଲେ ।