କଂସଙ୍କ ରାଜୁତିରେ ଥରହର ହେବ ମଥୁରା ନଗରୀ…

ଆଜିଠାରୁ ବରଗଡରେ ଚାଲିବ କଂସ ମହାରାଜଙ୍କ ଶାସନ । ଦୀର୍ଘ ୧୧ ଦିନ ଧରି ଶାସନ କରିବେ କଂସ ମହାରାଜ । ବରଗଡରେ ଆରମ୍ଭ ହେଉଛି ୭୫ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ହୀରକ ଜୟନ୍ତୀ ପାଳନ କରୁଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି ।
ଆଜିଠୁ ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ, ସେହିପରି ଅମ୍ବାପାଲି ପାଲଟିବ ଗୋପପୁର, ଜିରା ନଇ ପାଲଟିଯିବ ଯମୁନା ଆଉ ବରଗଡ଼ ସହରବାସୀ ପାଲଟି ଯିବେ ଜଣେ ଜଣେ କଳାକାର । ଆଜି ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବ । ଏଥିରେ ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ସାଂସ୍କୃତିକ ଦଳ । ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା ୬ଟାରେ ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିବେ । ଏହାପରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଧନୁଯାତ୍ରା ମହୋତ୍ସବର ଉଦଘାଟନ କରିବେ । ପ୍ରଥମ ଦିନର କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ଆରମ୍ଭ ହେବ । ଏଥର କଂସ ମହାରାଜଙ୍କ ଦରବାରକୁ ୪୨ ଫୁଟ ଉଚ୍ଚତା ୧୨୦ ଫୁଟ ଲମ୍ବ ଏବଂ ୩୫ ଫୁଟ ଚଉଡା କରାଯାଇଛି । କଲିକତାରୁ ୩୦ ଜଣ କାରିଗର ୧୫ ଦିନ ଧରି କାମ କରି ରାଜଦରବାରକୁ ରାଜସ୍ଥାନ ରାଜମହଲର ରୂପ ପ୍ରଦାନ କରିଛନ୍ତି ।