ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭଉଣୀ

ନିଶ୍ଚିନ୍ତକୋଇଲି: ପୋଖରୀରେ ବୁଡି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଂଚାୟତର ବନମାଳୀପୁର ଗାଁର ୧୬ ନମ୍ବର ୱାର୍ଡରେ । ମୃତକଦ୍ବୟ ହେଲେ ସେହି ଗାଁର ସତ୍ୟ ସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଲିପ୍ସିତା ପଣ୍ଡା (୯) ଓ ଇପ୍ସିତା ପଣ୍ଡା (୫) । ଉଭୟ ଖେଳୁଥିବା ବେଳେ ପୋଖରୀରେ ପଡ଼ି ଯାଇଥିଲେ । ତେବେ କିଛି ସମୟ ପରେ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ପିଏଚସିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ଶବ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।
ଦୁଇ ଭଉଣୀ ଖେଳୁଥିବା ସମୟରେ ଜଣେ ଭଉଣୀ ବୁଡିଯାଉଥିବା ଦେଖି ଅନ୍ୟଜଣେ ତାକୁ ବଞ୍ଚାଇବାକୁ ଯାଇ ଉଭୟଙ୍କର ମୃତ୍ୟ ହୋଇଥିବା ପରିବାରଲୋକେ ଅନୁମାନ କରୁଥିବା କହିଛନ୍ତି । ତେବେ ଏକାସଙ୍ଗରେ ଦୁଇ ଝିଅଙ୍କୁ ହରାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଗପାଟିଆ ଗାଁରେ ତିନି ଜଣ ନାବାଳକ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ।
ସାଲେପୁରରୁ ଅଭୟ ଜେନା