ସିସିଟିଭିରେ କଏଦ ପୋଲିସର ଫେକ୍ ଏଭିଡେନ୍ସ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ବୋରିଗୁମ୍ମା: ପଦାରେ ପଡିଲା ଅବକାରୀ ବିଭାଗ ଓ ପୋଲିସର ଷଡଯନ୍ତ୍ର । ସିସିଟିଭି ଖୋଲି ଦେଲା ଏମାନଙ୍କ ଗୁମର । ଟାର୍ଗେଟ ପୂରଣ ପାଇଁ କିପରି ନିରୀହ ଲୋକକୁ ମଦ ବେପାରୀ ସଜେଇଥିଲା ପୋଲିସ ଓ ଅବକାରୀ ବିଭାଗ ଏହାର ସାଂଘାତିକ ସତ ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଜୁଝାରୀ ପଂଚାୟତ ଅନ୍ତର୍ଗତ ଲଦିଯୋଡି ଗାଁର ରଜନୀକାନ୍ତ ବିଷୋୟୀଙ୍କ ଘର ଭିତରକୁ ମଦ ଭର୍ତ୍ତି ରବର ଟ୍ୟୁବ ଫିଙ୍ଗି ମିଥ୍ୟା କେସରେ ତାଙ୍କୁ ଗିରଫ କରିଥିଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ । ଅବକାରୀ ବିଭାଗ ଟାର୍ଗେଟ୍ ପୂରଣ କରିବାକୁ ରଚିଥିଲା ଷଡ଼ଯନ୍ତ୍ର । ଆଉ ଏମାନଙ୍କୁ ସାହାଯ୍ୟ କରିଥିଲେ ପୋଲିସ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ ।
ଉଭୟ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଟିମ୍ ଷଡଯନ୍ତ୍ର କରି ଜଣେ ନିରୀହ ବ୍ୟକ୍ତିକୁ ଗିରଫ କରିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଲଦିଯୋଡି ଗାଁରେ ଚୋରା ଦେଶୀ ମଦ କାରବାର ରୋକିବାକୁ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ହୋଇଥିଲା । ଆଉ ଏହି ସମୟରେ ଅବକାରୀ ବିଭାଗର ଏଏସ୍ଆଇ ଚନ୍ଦ୍ରଶେଖର ରେଡ୍ଡୀ ମଦ ଭର୍ତ୍ତି ରବର ଟ୍ୟୁବ ରଜନୀକାନ୍ତ ବିଷୋୟୀଙ୍କ ଘର ଭିତରକୁ ଫିଙ୍ଗିଥିଲେ । ଖାଲି ସେ ଏକାକୀ ନୁହେଁ । ତାଙ୍କୁ ଏହି କାମରେ ସହାୟତା କରିଥିଲେ ତାଙ୍କ ଟିମ୍ ସଦସ୍ୟ । କିଛି ସମୟ ପରେ ରଜନୀକାନ୍ତଙ୍କୁ ଚୋରା ମଦ କାରବାର ଅଭିଯୋଗରେ ଗିରଫ ବି କରାଗଲା । ହେଲେ ଷଡଯନ୍ତ୍ର ରଚିଥିବା ବାବୁମାନେ ଜାଣିନଥିଲେ ଯେ ତାଙ୍କର ଏ ସବୁ କାରନାମା ସିସିଟିଭିରେ କଏଦ ହେଉଛି । ଏହାକୁ ନେଇ ତୁମ୍ବି ତୋଫାନ ହେବା ପରେ ଶେଷରେ ଅବକାରୀ ଅଧିକାରୀ ରଜନୀକାନ୍ତଙ୍କୁ କ୍ଷମା ମାଗିବା ସହ ତାଙ୍କୁ ଛାଡି ଦେଇଛନ୍ତି ।
ଚୋରା ଦେଶୀ ମଦ କାରବାର ରୋକିବାକୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ମିଳିତ ଚଢାଉ । ଏଥିପାଇଁ ସାଟେଲାଇଟ ଟିମ୍ ମଧ୍ୟ ଗଠନ କରାଯାଇଛି । ହେଲେ ଚଢ଼ାଉ ସମୟରେ ଅନେକ ମଦ ମାଫିଆ ଟିମକୁ ଚକମା ଦେଇ ଖସି ଯାଉଛନ୍ତି । ତେଣୁ ଔଷଧ ବିକଳରେ ତାଟିଆ କାମୁଡିବା ନାଁରେ ଏବେ ନିରୀହ ଲୋକଙ୍କୁ ଫସାଇ ଟାର୍ଗେଟ ପୂରଣ କରିବାକୁ ଅବକାରୀ ବିଭାଗ ଅପଚେଷ୍ଟା କରୁଛି । ଆଉ ଏପରି ଷଡଯନ୍ତ୍ର ରଚି ସେମାନେ ମାନବାଧିକାର ଆଇନର ଉଲଙ୍ଘନ କରୁଛନ୍ତି । ଏପରି କ୍ଷେତ୍ରରେ ପୋଲିସ ଓ ଅବକାରୀ ବିଭାଗ ନିଜର ଅସ୍ତୁତ୍ବ ହରାଉଥିବା ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ତେଣୁ ଘଟଣାର ତଦନ୍ତ କରିବା ସହ ଏହି ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀଙ୍କ ଓକିଲ ଏବଂ ସ୍ଥାନୀୟ ସମାଜସେବୀ । ଘଟଣାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟରେ ଫେରାଦ ହେବେ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି ।
ନିରୀହ ଲୋକଙ୍କୁ ମଦବେପାରୀ ସଜେଇ ଜେଲ ପଠାଇବା ଅବକାରୀ ବିଭାଗର ଷଡଯନ୍ତ୍ର ଏବେ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ପଦାରେ ପକାଇଛି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ, ଅବକାରୀ ବିଭାଗର ଏଭଳି ନିନ୍ଦନୀୟ ପଦକ୍ଷେପ ପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ବୋରିଗୁମ୍ମାରୁ ବିଘ୍ନେଶ୍ବର ଷଡଙ୍ଗୀ