ଦୁରୁଆ ସମ୍ପ୍ରଦାୟକୁ କେବେ ମିଳିବ ଆଦିବାସୀ ମାନ୍ୟତା

ପାହାଡ଼ ଜଙ୍ଗଲ ଝରଣା ନଦୀରେ ପରିବେଷ୍ଟିତ ଏକ ମନୋରମ ଓ ସୁନ୍ଦର ଜିଲ୍ଲା ହେଉଛି କୋରାପୁଟ ଜିଲ୍ଲା । ଯେଉଁଠି ବସବାସ କରନ୍ତି ବିଭିନ୍ନ ସମ୍ପ୍ରଦାୟର ଆଦିମ ଜନଜାତି । ଏଣୁ ଏହାକୁ ଏକ ଆଦିବାସୀ ବହୁଳ ଅଂଚଳ ବୋଲି ମାନ୍ୟତା ଦିଆଯାଇଛି । ନୀତି ଆୟୋଗଙ୍କ ସର୍ଭେ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାରେ ଗରିବୀ ହାର ହେଉଛି ୫୧.୧୪% । ତନ୍ମଧ୍ୟରେ ଦୁରୁଆ ସମ୍ପ୍ରଦାୟ ମଧ୍ୟ ରହିଛି କ୍ଷ କୋଟପାଡ଼ ବ୍ଲକ, କୁନ୍ଦ୍ରା ଏବଂ ବୈପାରୀଗୁଡା ପଞ୍ଚାୟତର ଅବିକଶିତ ଜଙ୍ଗଲ ପାହାଡ଼ ଭରା ପରିବେଶରେ ଏମାନେ ବସବାସ କରନ୍ତି । ଏମାନଙ୍କ ପାଇଁ ଭଲ ରାସ୍ତାଘାଟ, ଶିକ୍ଷା-ସ୍ୱାସ୍ଥ୍ୟ ବ୍ୟବସ୍ଥା ସାତସପନ । ଦାରିଦ୍ର୍ୟର ସୀମାରେଖା ତଳେ ବିତେ ଏମାନଙ୍କ ଜୀବନ । ଦୁରୁଆମାନଙ୍କ ରୋଜଗାର କଥା ନ କହିବା ଭଲ । ରୋଜଗାର କହିଲେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଅଖାପାଖ ହାଟରେ ବିକ୍ରି କରି ଯାହା କିଛି ଅର୍ଥ ଉପାର୍ଜନ କରନ୍ତି ସେଥିରେ କଷ୍ଟେମଷ୍ଟେ ଚଳେ ପରିବାର । ଏହା ସହିତ ବର୍ଷାଜଳରେ ଡ଼ଙ୍ଗର ଜମିରେ ଧାନଚାଷ କରି କିଛି ଶସ୍ୟ ଉତ୍ପାଦିତ କରିଥାଆନ୍ତି । ଆଉ ସେଥିରେ ପରିବାରର ଦାନାପାଣି ଚଳେ । ଭାଗ୍ୟକୁ ଯଦି ସ୍ୱଳ୍ପ ବୃଷ୍ଟିପାତ ହୁଏ ଏମାନେ ମରୁଡି ପରିସ୍ଥିତିର ଶିକାର ହୁଅନ୍ତି ।
ଦୁରୁଆ ଅଧିବାସୀ ବହୁତ ସରଳ, ସଂସ୍କାରି ଓ ପ୍ରକୃତି ପ୍ରେମୀ ଅଟନ୍ତି । ଏମାନଙ୍କ କଳା ଓ ସଂସ୍କୃତି ଜିଲ୍ଲା ତଥା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କହିବାକୁ ଗଲେ ପଲ୍ଲୀଠାରୁ ଦିଲ୍ଲୀ ପର୍ୟ୍ୟନ୍ତ ଏମାନଙ୍କ ବେଶଭୂଷା, କଳାର ଡଙ୍କ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ହେଲେ ଦୁଖଃର ବିଷୟ ଏମାନଙ୍କ ସାମାଜିକ ଉତଥାନ ପାଇଁ ପ୍ରଶାସନିକ ସ୍ତରରେ କାହାରି ଦରଦ ନାହିଁ । ପରବ ଭଳି ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ହେଲେ ପ୍ରଶାସନଙ୍କୁ ଏମାନଙ୍କ ସହଯୋଗ ଅର୍ଥାତ କଳା, ସଂସ୍କୃତି, ନୃତ୍ୟର ଆବଶ୍ୟକତା ପଡିଥାଏ । କାରଣ ଆଦିବାସୀ ନୃତ୍ୟ, କଳାକୁ ମଞ୍ଚରେ ପରିବେଷଣ କରି ସରକାର ବାଃ ବାଃ ସାଉଁଟନ୍ତି । ଆଉ କାମ ସରିଲେ ଏମାନେ ପ୍ରଶାସନ ଦୃଷ୍ଟିରୁ ଉଭାନ ହୋଇଯାଆନ୍ତି ।
ଛତିଶଗଡ ରାଜ୍ୟରେ ଦୁରୁଆ ସମ୍ପ୍ରଦାୟର ଲୋକଙ୍କୁ ଆଦିବାସୀର ମାନ୍ୟତା ମିଳିଥିବା ବେଳେ ଆମ ରାଜ୍ୟ ଓଡିଶାରେ ଏମାନଙ୍କୁ କାହିଁକି ସାଧାରଣ ବର୍ଗ ଭାବେ ଗଣାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି କ୍ଷ ଜିଲ୍ଲା ପ୍ରଶାସନ ଦୁରୁଆଙ୍କ ଲୋକକଳା, ସଂସ୍କୃତି, ବେଶଭୁଷା, ନୃତ୍ୟକୁ ନେଇ ପରବ ଭଳି ବିଭିନ୍ନ ରାଜ୍ୟସ୍ତରୀୟ, ଅନ୍ତର୍ଜାତୀୟସ୍ତରୀୟ ମଞ୍ଚରେ ପରିବେଷଣ କରି ଛାତି ଫୁଲାଇ ବାହା ବାହା ନେଉଥିବା ବେଳେ ବାସ୍ତବରେ ଏମାନଙ୍କ ପ୍ରତି ଅବହେଳା କରିବାର ଦୃଶ୍ୟ ତୃଣମୂଳ ସ୍ତରରେ ଏମାନଙ୍କୁ ବ୍ୟଥିତ କରିଛି ।
ଏହି ସମ୍ପ୍ରଦାୟର ଜନଜାତି ନିହାତି ଗରିବ ଶ୍ରେଣୀର ହୋଇଥିବାବେଳେ ସାଧାରଣ ବର୍ଗ କାରଣରୁ ଏମାନେ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଏହି ସମ୍ପ୍ରଦାୟର ଅନେକ ଯୁବପିଢୀ ଭଲ ପାଠପଢି ଶିକ୍ଷିତ ହୋଇଥିବାବେଳେ ଅର୍ଥାଭାବରୁ ଉଚ୍ଚଶିକ୍ଷା କରିପାରୁନାହାନ୍ତି । ଆମ ରାଜ୍ୟରେ ଦୁରୁଆ ସମ୍ପ୍ରଦାୟ ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏମାନଙ୍କୁ ନା କୌଣସି ଷ୍ଟାଇପେଣ୍ଡ ମିଳୁଛି ନା ଚାକିରୀ କ୍ଷେତ୍ରରେ ସଂରକ୍ଷଣ ସୁବିଧା । ଯାହାକୁ ନେଇ ତେଜିଛନ୍ତି ଦୁରୁଆ ସମ୍ପର୍ଦାୟର ଲୋକ । ଚଳିତ ବର୍ଷ କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ-୨୦୨୨ ପାଳିତ ହେଉଥିବାବେଳେ ଦୁରୁଆ ଅଧିବାସୀ ଏହାକୁ ବଏକଟ୍ କରିଥିବା ଖବର ସାମ୍ନାକୁ ଆସିଛି । ଦୁରୁଆ ଆଦିବାସୀ ଯେ ପର୍ୟ୍ୟନ୍ତ ଆଦିବାସୀର ମାନ୍ୟତା ପାଇନାହାନ୍ତି ସେ ପର୍ୟ୍ୟନ୍ତ କୌଣସି ପ୍ରଶାସନିକ କାର୍ୟ୍ୟକ୍ରମରେ ଆଦିବାସୀ ନୃତ୍ୟ କଳାରେ ଯୋଗ ଦେବେ ନାହିଁ ବୋଲି ଦାବି କରିଛନ୍ତି ।
ଯଦି ରାଜ୍ୟ ସରକାର ଏମାନଙ୍କ ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରି ଏମାନଙ୍କୁ ତାଙ୍କର ନ୍ୟାର୍ୟ ଅଧିକାର ପ୍ରଦାନ କରନ୍ତେ ତେବେ କୋରାପୁଟ ମାଟିର ଯୋଗ୍ୟ ସନ୍ତାନ ଭାବେ ଓଡିଶା ମାଟିର ଟେକ ରଖିବାରେ ଅଗ୍ରଣୀ ହୋଇପାରିବେ ବୋଲି ସେମାନେ ମତ ଦେଇଛନ୍ତି ।
କୋଟପାଡ଼ରୁ ସୁନୀଲ କୁମାର ଦାଶ