ଦାରିଦ୍ର୍ୟତା ଉଜାଡିଦେଲା ସୁନାର ସଂସାର

କଟକ: ଆର୍ଥିକ ଅନାଟନ ଜଣେ ମଣିଷକୁ ଏଭଳି ଦାରିଦ୍ୟ ଭିତରକୁ ଠେଲିଦିଏ ତାହା କଳନା କରିବା କଷ୍ଟକର । କୁମୁଡା ଜୟୀପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କୋଠପଦା ଗାଁରେ ଏହାର କୁପରିଣତି ଦେଖିବାକୁ ମିଳିଛି । ବିରୂପା ନଦୀର ଛନ୍ଦାଘାଟ ନିକଟରେ ଥିବା ଏକ କରଞ୍ଜ ଗଛରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆର୍ଥିକ ଅନଟନ ଓ ମାନସିକ ଦୁଶ୍ଚିନ୍ତା ତାଙ୍କ ଆତ୍ମହତ୍ୟାର କାରଣ ବୋଲି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । କୋଠପଦା ଗାଁର ପ୍ରଦୀପ୍ତ କିଶୋର (କାଳିଆ) ବ୍ୟାଙ୍କ ଋଣରେ ଏକ ଟାଟାଏସି ଗାଡି ଆଣି ଚଳାଉଥିଲେ । ସେଥିରୁ ଯାହା ଉପାର୍ଜନ ହେଉଥିଲା ଦୁଃଖ କଷ୍ଟରେ ପରିବାର ଚଳୁଥିଲା ।
ପରିବାର ଲୋକଙ୍କ ସୂଚନା ଅନୁସାରେ କାଳିଆ ଗାଡ଼ିଟିକୁ ଭାକୁଡ଼ ଅଞ୍ଚଳରେ ବନ୍ଧକ ରଖି କିଛି ଟଙ୍କା ଆଣିଥିଲେ । ତେବେ କରଜ ଦେଇଥିବା ବ୍ୟକ୍ତି ଜଣକ କାଳିଆଙ୍କଠାରୁ ଗାଡିଟିକୁ କିଣି ନେବାକୁ କୁଆଡେ ଚାପ ପକାଇବା ପରେ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । କିଛିଦିନ ହେବ ମାନସିକ ଭାବେ ଭାଙ୍ଗିପଡିଥିବା କାଳିଆ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିବା ତା’ଙ୍କ ମାଆ ଓ ପତ୍ନୀ ପୋଲିସକୁ ବୟାନ ଦେଇଛନ୍ତି ।
ମୃତକଙ୍କ ପତ୍ନୀଙ୍କ ଏତଲାକୁ ଭିତ୍ତିକରି କୁମୁଡା ଜୟୀପୁର ଫାଣ୍ଡି ପୋଲିସ ଗୋପବନ୍ଧୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି । ପ୍ରଦୀପ୍ତ ଜଣେ ପରୋପକାରୀ ଓ ମେଳାପୀ ଯୁବକ ଥିଲା । ସେ ଘରର ଏକମାତ୍ର ରୋଜଗାରକ୍ଷମ ଯୁବକ ଥିବାବେଳେ ତାଙ୍କ ବିୟୋଗରେ ତାଙ୍କର ବିଧବା ମାଆ, ପତ୍ନୀ ଓ ଦେଢ଼ ବର୍ଷର ଝିଅର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଇଛି ।
ଖବର ପାଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଦୀପ୍ତଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଘଟଣାରେ ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ ଏବଂ ସ୍ଥାନୀୟ ଅଞ୍ଚଳର ମୁରବୀମାନେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସାନ୍ତ୍ୱନା ପ୍ରଦାନ କରିଛନ୍ତି ।
ସାଲେପୁରରୁ ଅଭୟ ଜେନା