ଟ୍ରେଣ୍ଟିଂ ଦେଶ ବିଦେଶ

ସଫଳ ହେଲାନି ୮୦ ଘଣ୍ଟାର ସଂଘର୍ଷ, ଜୀବନ ଯୁଦ୍ଧରେ ହାରିଗଲା କୁନି ପୁଅ ତନ୍ମୟ

ମଧ୍ୟପ୍ରଦେଶ: ପାଖାପାଖି ୮୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟର ସଂଘର୍ଷ । ୫୫ଫୁଟ ଗଭୀରର ଗାତ ଭିତରେ ସଂଘର୍ଷ କରୁଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ଆଉ ବାହାରେ ତନ୍ମୟକୁ ଉଦ୍ଧାର ପାଇଁ ଚାଲିଥିଲା କସରତ । ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ ସତ୍ତ୍ୱେ ବୋରୱେଲ ଭିତରେ ଫସି ଯାଇଥିବା ତନ୍ମୟକୁ ବଞ୍ଚାଇ ପାରିନି ପ୍ରଶାସନ । ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସହ ତନ୍ମୟକୁ ଉଦ୍ଧାର କରାଯିବା ପରେ ବି ବଞ୍ଚିପାରିନାହିଁ ତନ୍ମୟ । ଏହି ଦୁଃଖଦ ଘଟଣା ବାବଦରେ ସୂଚନା ଦେଇଛି ବେତୁଲ ଜିଲ୍ଲା ପ୍ରଶାସନ ।

ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭୀ ଗାଁରେ ଖୋଳା ଯାଇଥିବା ବୋରୱେଲରେ ଗତ ମଙ୍ଗଳବାରରୁ ଫସି ରହିଥିଲା ତନ୍ମୟ । ମଙ୍ଗଳବାର ସନ୍ଧ୍ୟା ୫ଟାରେ ତନ୍ମୟ ବୋରୱେଲ ନିକଟରେ ଖେଳୁଥିବା ବେଳେ ହଠାତ୍‌ ଭିତରକୁ ଖସି ପଡ଼ିଥିଲା । ପରିବାର ଲୋକ ତୁରନ୍ତ ପ୍ରଶାସନକୁ ଖବର ଦେବାର କିଛି ସମୟ ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ ।

ତନ୍ମୟକୁ ଉଦ୍ଧାର କରିବାକୁ ପ୍ରଶାସନ ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଥିଲା । ୪ ଦିନ ଧରି ଉଦ୍ଧାରକାରୀ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଜେସିବି ସହାୟତାରେ ଚାଲିଥିଲା ଖନନ କାର୍ଯ୍ୟ । ମାତ୍ର ଟାଣ ପଥର ଓ ପାଣି ଉଦ୍ଧାରକାରୀ ଟିମ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତଥାପି ପ୍ରଶାସନ ହାର ନ ମାନି ତନ୍ମୟକୁ ଉଦ୍ଧାର ପାଇଁ ବ୍ରେକର ମେସିନ୍ ସାହାଯ୍ୟରେ ଖୋଳିବା ସହ ଆପ୍ରାଣ ଚେଷ୍ଟା ଜାରି ରଖିଥିଲେ । ଆଜି ଭୋର ସମୟରେ ଉଦ୍ଧାରକାରୀ ଟିମ୍ ସୁଡଙ୍ଗ ସାହାଯ୍ୟରେ ତନ୍ମୟ ନିକଟରେ ପହଞ୍ଚି ବହୁ ସତର୍କତାର ସହ ତାକୁ ଉପରକୁ ଆଣି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଛନ୍ତି ।

ଏହାପରେ ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସୂଚନା ମୁତାବକ, ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିଲା, ସେଠାରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଥିଲା । ମେଡିକାଲ ଟିମ୍ ଓ ରେସ୍କ୍ୟୁ ଟିମ୍ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି ।

ତନ୍ମୟର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ମା’ ଜ୍ୟୋତି ଓ ବାପା ସୁନୀଲ ସାହୁ ପାଗଳ ପ୍ରାୟ ହୋଇଯାଇଛନ୍ତି । ସେମାନେ କଅଁଳ ପୁଅକୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପ୍ରଶାସନ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସେମାନେ ପୁଅକୁ ଫେରାଇ ଆଣିବାକୁ ଆକୁଳନ ନିବେଦନ କରିବାର ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରୁଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।