ପରୀ ହତ୍ୟାକାରୀକୁ ମିଳିଲା ୧୦ ଦିନିଆ ଜାମିନ

କଟକ: ବହୁଚର୍ଚ୍ଚିତ କୁନି ଝିଅ ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ସରୋଜକୁ ହାଇକୋର୍ଟ ୧୦ ଦିନ ପାଇଁ ପ୍ରଦାନ କଲେ ଅନ୍ତରୀଣ ଜାମିନ । ତେବେ ଜାମିନରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ଉଚ୍ଚ ନ୍ୟାୟଳୟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ଏହି ସମୟରେ ସେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଇବ ବୋଲି ଆବେଦନରେ ଜଣାଇଥିଲା ।
ଜାମିନ ସମୟରେ ଆବଶ୍ୟକ ପଡିଲେ ଥାନାରେ ଆସି ଦେଖାକରିବା ସହ ଥାନା ଅଧିକାରୀଙ୍କୁ ନଜଣାଇ କେଉଁଆଡେ ସରୋଜ ଯିବେ ନାହିଁ ଏବଂ ଘଟଣା ସହ ଜଡିତ କୌଣସି ସାକ୍ଷ୍ୟ ପ୍ରମାଣଙ୍କୁ ଦେଖା କରିପାରିବ ନାହିଁ ବୋଲି ଦର୍ଶାଯାଇଛି । ତେବେ ୧୦ ଦିନିଆ ଜାମିନ ଅବଧି ଶେଷ ହେବା ପରେ ସରୋଜ ନିଜେ କୋର୍ଟରେ ସରେଣ୍ଡର କରିବ ବୋଲି ମଧ୍ୟ ଦର୍ଶାଯାଇଛି ।
ନୟାଗଡ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା । ୧୦ ଦିନ ପରେ ପରୀର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଘଟଣାର ଏସ୍ଆଇଟି ତଦନ୍ତ କରାଯିବା ସହ ସରୋଜ ସେଠୀକୁ ଗିରଫ କରାଯାଇଥିଲା । ଗିରଫ ସରୋଜକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ସେଠାରେ ଅଭିଯୁକ୍ତ ଥିବାବେଳେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସରୋଜକୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।