“ଶମ୍ଭୁ”ର ଶୁଭ ମହୁରତ ଅନୁଷ୍ଠିତ

ଭୁବନେଶ୍ବର: ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ”ର ଶୁଭ ମହୁରତ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ବିଭୁତି ଜେନା ନିବେଦିତ ତଥା ମୋହନ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର “ଶମ୍ଭୁ”ର କାହାଣୀ ଅନୁପମା ଜେନା ଲେଖିଥିବା ବେଳେ ଏହାର ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ ।

ଏଥିରେ ସଂଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଥିବା ବେଳେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ୍ ଦିଲ୍ଲୀପ ପଣ୍ଡା । ଚଳଚ୍ଚିତ୍ରରେ ନବାଗତ ନାୟକ ଶୁଭମ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଚୁଲବୁଲି ନାୟିକା ତମନ୍ନା । ଏଥିରେ ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବିଙ୍କ ସହିତ ଶିଶୁ କଳାକାର ଭାବେ ବିନପ୍ସା ଜେନା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର ଜଡିତ ରହିଛନ୍ତି l

ଶୁଭ ମହୁରତ ଅବସରରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଯୋଗ ଦେଇଥିଲେ । ପରିଚାଳନା ଦାୟିତ୍ୱରେ ବିଜୁ ଏବଂ ଭରତ ଥିବାବେଳେ ଏହାର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି ।