ପଦ୍ମପୁରରେ ଶୁଭିଲା ଶଙ୍ଖ…

ଜିତିଲା ମାଟିର ଝିଅ । ୪୨ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛି ବିଜେଡି । ବାପାଙ୍କ ସ୍ବପ୍ନକୁ ସାକାର କରିବାର ପ୍ରତିଶ୍ରୁତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ସ୍ବର୍ଗତଃ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂହ ବରିହା । ପଦ୍ମପୁର ଉପନିର୍ବାଚନୀ ଫଳାଫଳ ବର୍ଷାଙ୍କ ସପକ୍ଷରେ ଯାଇଛି । ବର୍ଷା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୫ ଭୋଟରେ ମାତ୍ ଦେଇଛନ୍ତି । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା ହୋଇଛି ।
ଉପନିର୍ବାଚନରେ ବର୍ଷା ମୋଟ ୧ ଲକ୍ଷ ୧୯ ହଜାର ୫୧୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ୭୭ ହଜାର ୪୪୭ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ୩ ହଜାର ୫୪୮ ଖଣ୍ଡ ଭୋଟ ପାଇଛନ୍ତି ।
ପଦ୍ମପୁର ଉପନିର୍ବାଚନରେ ଶଙ୍ଖର ପାୱାର ଆଗରେ ଫୁଟିପାରିଲାନି ପଦ୍ମ । ଅପରପକ୍ଷେ ତ୍ରିମୁଖୀ ଲଢେଇରେ ହାତ, ହାତ ଉଠାଇବାରେ ହେଲା ଅକ୍ଷମ । ଧାମନଗରରେ ବିଜେପିର ବିଜୟ ପରେ ପଦ୍ମପୁରରେ ବିଜେଡିର ମାଇକ୍ରୋ ମ୍ୟାନଜମେଣ୍ଟ ବେଶ୍ ପ୍ରଭାବଶୀଳ ପ୍ରମାଣିତ ହୋଇଛି । ବିପୁଳ ଭୋଟରେ ବିଜୟ ହାସଲ କରିଛି ବିଜେଡି ।