ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ‘ସମନ୍ୱୟ’ ପକ୍ଷରୁ ସାହିତ୍ୟାଲୋଚନା

କଟକ: ସାହିତ୍ୟ ଓ ସାଂସ୍କୃତିକ ସଂଗଠନ “ସମନ୍ୱୟ” ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥିତ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ । ପରେ ସମନ୍ୱୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ମର୍ମସ୍ପର୍ଶୀ ପ୍ରବନ୍ଧ ପାଠ କରିଥିଲେ ।
ଏହି ଅବସରରେ ସମନ୍ୱୟର ସଭାପତି ସାହିତ୍ୟିକ ଦୁଃଖିଶ୍ୟାମ ଦାସ ସଭାପତିତ୍ବ କରିବା ସହ ପଣ୍ଡିତ ଗୋବିନ୍ଦ ରଥ ଜଣେ ପ୍ରଚଣ୍ଡ ସ୍ଵାଭିମାନୀ, ସ୍ଵାଧିନଚେତା, ବିପ୍ଳବୀ ଓ ସଂସ୍କାରଧର୍ମୀ ଜନସେଵକ ଥିଲେ ବୋଲି କହିଥିଲେ । ଏହା ସହ ଦେଶପ୍ରେମ ଓ ସାହିତ୍ୟସେଵା ଥିଲା ତାଙ୍କ ଜୀବନର ପରମବ୍ରତ ବୋଲି ମଧ୍ୟ କହିଥିଲେ ସାହିତ୍ୟିକ ଦୁଃଖିଶ୍ୟାମ ଦାସ । ସଭାରେ ସମାଜସେବୀ ପ୍ରଶାନ୍ତ ଦାସ ଯୋଗ ଦେଇ ପଣ୍ଡିତ ଗୋବିନ୍ଦ ରଥଙ୍କ ଦୃଷ୍ଟିଭଙ୍ଗୀ ଆଦର୍ଶ ଓ ବିପ୍ଳବାତ୍ମକ ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ତମାମ ଜୀବନ ସଂଗ୍ରାମର ନିଆଁରେ ଜଳି ଜଳି ସେ ଦେଶସେବା, ସାହିତ୍ୟସେବା ଓ ସମାଜ ଗଠନ ଲାଗି ବିପ୍ଳବମାନ ଗଢି ତୋଳିଥିଲେ ବୋଲି ପ୍ରକାଶ କରିଥିଲେ । ଏପରିକି ପ୍ୟାରୀମୋହନ ଏକାଡେମୀ ସ୍କୁଲ ପ୍ରତିଷ୍ଠା ସହ “ଉତ୍କଳ ପୁତ୍ର” ପତ୍ରିକା ସମ୍ପାଦନା କରି ପଣ୍ଡିତ ଗୋବିନ୍ଦ ରଥ ସମାଜକୁ ବିପ୍ଳବର ବାର୍ତା ଦେଇଥିଲେ ।
ପ୍ରଫେସର ଦୁର୍ଗା ପ୍ରସନ୍ନ ନନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ପଣ୍ଡିତ ଗୋବିନ୍ଦ ରଥ ସର୍ବ ପ୍ରଥମେ “ବର୍ଣ୍ଣବୋଧକ” ରଚନା କରିଥିଲେ । ରାଶି ରାଶି ଦେଶପ୍ରେମ ଓ ବ୍ୟଙ୍ଗ କବିତା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କ ରଚନାବଳୀ ମଧ୍ୟରେ କବିତା ମଞ୍ଜରୀ, କବିତା କଳାପ, ଫ୍ୟୁଉଚର ସାହେବ, ଘୋଡ଼ା ଡିମ୍ବ ଓ କଟକ ନଗରୀ ଆଦି ପ୍ରଧାନ । ସବୁ ରଚନାବଳୀ ମଧ୍ୟରେ ଦେଶପ୍ରେମର ବାର୍ତ୍ତାର ବାସନା ରହିଥିବା ଆଲୋଚନା ହୋଇଥିଲା ।
ଏହି ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ଆଡଭୋକେଟ କବୀର କୁମାର ଜେନା, ନଗେନ୍ଦ୍ର ରଥ, ସୋମ୍ୟ ସାରଥି ଦାସ ଓ ସନ୍ତୋଷ କୁମାର ଦାସ ପ୍ରମୁଖ ଭାଗନେଇ ତାଙ୍କ କର୍ମ ନିପୁଣତା ଓ ତ୍ୟାଗ ନିଷ୍ଠାର ଭୂୟସୀ ପ୍ରଶଂସା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ କବି ନିବାସ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ କବିତା ପାଠ କରିଥିଲେ ପ୍ରିୟଙ୍କା ସାହୁ, ସସ୍ମିତା ଜେନା ପ୍ରମୁଖ କବି ବୃନ୍ଦ ।
ସାଲେପୁରରୁ ଅଭୟ ଜେନା