ଜଟଣୀରୁ ୧୦ ଗ୍ରାମର ବ୍ରାଉନସୁଗାର ଜବତ

ଜଟଣୀ: ଜଟଣୀରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଜଟଣୀରେ ବେଆଇନ ଭାବେ ବେପାର କରୁଛନ୍ତି ଧଳାଜହର ବେପାରୀ । କିଛିଦିନ ତଳେ ଜଟଣୀ ପୋଲିସ ହାତରେ ଜଣେ ଧଳାଜହର ବେପାରୀ ଗିରଫ ହୋଇଥିବାବେଳେ ଏହି ଘଟଣାକୁ ସପ୍ତାହେ ନ ପୂରୂଣୁ ପୁଣି ପୋଲିସର ଧରପଗଡ ଆରମ୍ଭ ହୋଇଛି । ଫଳରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ନିକଟରୁ ୧୦.୦୪ ଗ୍ରାମ ବ୍ରାଉନସୁଗାର, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି, ଦୁଇଟି ମୋବାଇଲ ଫୋନ୍ ଏବଂ ୧୭୫୦ ଟଙ୍କା ଜବତ କରିଛି । ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ ଟିମ୍ ଲୋକ କଲୋନୀସ୍ଥିତ ଭଗବତୀ ନିକଟରେ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, କିଛିଦିନ ତଳେ ଜଟଣୀ ଥାନାର ସ୍ୱତନ୍ତ୍ର ଟିମ୍ ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲା । ଘଟଣାରେ ଅଭିଯୁକ୍ତଙ୍କ ନିକଟରୁ ୧୦.୭୦ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ମୋବାଇଲ ଫୋନ ଓ ମୋଟରସାଇକେଲ ଜବତ କରାଯାଇଥିଲା ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ