ଓଡିଶା

କାଗଜ କଲମରେ ଲୁଟିନେଲେ ୧୪ ଲକ୍ଷ ଟଙ୍କା …

ରାଜ୍ୟରେ ଚାଲିଛି ଅନ୍ଧ ସରକାର ଶାସନ । ଜନତାଙ୍କୁ ଅଟ୍ଟହାସ୍ୟ କରୁଛି ଯୋଜନା । ତଳଠୁ ଉପର ସମସ୍ତ ଅଫିସର ଦୁର୍ନିତୀରେ ଲିପ୍ତ । ଗୋଟିଏ ସରକାର ଦୀର୍ଘ ସମୟ ଧରି ଶାସନ କରିବା ପରେ ଜନତାଙ୍କୁ ଲୁଟୁଛନ୍ତି ସରକାରୀ ଅଧିକାରୀ । ଏ କଥା ଆମେ କହୁନାହୁଁ । ଜନତାଙ୍କ ଆକ୍ରୋଶ ହିଁ ବୟାନ କରୁଛି ଜନତା ସରକାରୀ କଳ ପ୍ରତି କେତେ ଅସନ୍ତୁଷ୍ଟ ଅଛନ୍ତି ।
କହିବା କଥା ହେଲା ସରକାର ଶ୍ରମିକଙ୍କୁ ନିଜ ରାଜ୍ୟରେ ରୋଜଗାର ଦେବା ଲାଗି ମନରେଗା ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି । ଏବଂ ଏଥିଲାଗି କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ହେଲେ ଏହାର ପ୍ରକୃତ ଚିତ୍ର କେତେ ଭୟଙ୍କର ତାହା ଆମେ ଆପଣଙ୍କୁ ଦେଖାଇବୁ । କୌଣସି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, କାମ ହେଲା କି ନାହିଁ ତାହାର ତଦାରଖ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ହେବା ଆବଶ୍ୟକ । କାରଣ ଆମେ ଆଜି ଆପଣଙ୍କୁ ଦୁର୍ନିତୀର ଖୋଲିଚିଠା ଦେଖାଇବୁ ।
ଏ ହେଉଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ଗୁପ୍ତେଶ୍ୱର ପଞ୍ଚାୟତ । ଏହି ପଞ୍ଚାୟତରେ ହୋଇଥିବା ଦୁର୍ନିତୀ ଖବର ସମସ୍ତଙ୍କ ଅକଲ ଗୁଡୁମ କରିଦେବ । କାରଣ ପଞ୍ଚାୟତର ଉନ୍ନତି ପାଇଁ ୨୦୨୦/୨୧ ଏବଂ ୨୦୨୧/୨୨ ମସିହାରେ ୪ ଟି ମନରେଗା ଯୋଜନାରେ ପ୍ରସ୍ତୁତ କାମ ପାଇଁ ହୋଇଥିବା ବ୍ୟୟ ଅଟକଳର କାଣିଚାଏ କାମ ନ ହୋଇ ୧୪ ଲକ୍ଷ ୧୮ ହଜାର ୪୭୭ ଟଙ୍କା ଆତ୍ମସାତ୍ ଘଟଣା ସମସ୍ତଙ୍କୁ ଚକିତ କରିଛି ।
ସୂଚନା ଅନୁସାରେ, ଗୁପ୍ତେଶ୍ୱରପୀଠ ମଡେଲ ଟ୍ୟାଙ୍କ ପାଇଁ ଅଟକଳ ମୂଲ୍ୟ ୯ ଲକ୍ଷ ଟଙ୍କା ହୋଇଥିବାବେଳେ କାମ ନହୋଇ ବିଲ୍ ହୋଇଛି ୬ ଲକ୍ଷ ୨୭ ହଜାର ୮୩୧ ଟଙ୍କା । ସେହିପରି ଗୋୟଳକୁଣ୍ଡ ଗ୍ରାମରେ ଖେଳପଡିଆ ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିବାବେଳେ ବିନା ଖେଳ ପଡିଆରେ ବିଲ୍ ହୋଇଛି ୩ ଲକ୍ଷ ୪୧ ହଜାର ୮୯୦ ଟଙ୍କା । ଅପରପକ୍ଷେ ମଜାରଗୁଡା ଗ୍ରାମରେ ଖେଳ ପଡିଆ ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ କାମ ନ ହୋଇ ଖର୍ଚ୍ଚ ହୋଇଛି ୨ ଲକ୍ଷ ୧୮ ହଜାର ୭୬୪ ଟଙ୍କା ଏବଂ ମୁର୍ଜାଚୁଆଁ ଗ୍ରାମରେ ପୋଖରୀ ଅଟକଳ ୯ ଲକ୍ଷ ଟଙ୍କା ହୋଇଥିବାବେଳେ କାମ ନ ହୋଇ ବିଲ୍ ହୋଇଛି ୨ଲକ୍ଷ ୨୯ ହଜାର ୯୯୨ ଟଙ୍କା ।
ବିନା କାମରେ ବିଲ୍ ସବୁ କିଏ ପାସ୍ କଲା ତାକୁ ନେଇ ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏପରିକି ପଞ୍ଚାୟତବାସୀ ଏକ ଲିଖିତ ଅଭିଯୋଗ କୋରାପୁଟ ଜିଲ୍ଲାପାଳ ଏବଂ ଭିଜିଲାନ୍ସକୁ ଦେବା ପରେ ଏବେ ଚାଲିଛି ତନାଘନା । ଆମ ପ୍ରତିନିଧି ଏ ନେଇ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରୁ କରୁ ଖୋଲିଛି ଏହି ଦୁର୍ନୀତିର ଗୁମର ।
ପାହାଡ଼ ଜଙ୍ଗଲ ଘେରା ଗୁପ୍ତେଶ୍ୱର ପଞ୍ଚାୟତର ସରଳ ନିରୀହ ଆଦିବାସୀ ବସ୍ତିରେ ହୋଇଛି ଏହି କେଳେଙ୍କାରୀ । ସହକାରୀ ଯନ୍ତ୍ରୀ, ପଞ୍ଚାୟତ ଅଫିସର, ଗ୍ରାମ୍ୟ ରୋଜଗାର ସେବକ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହୋଇଛି ଏହି ଚଞ୍ଚକତା । ଗୁପ୍ତେଶ୍ୱର ମଡେଲ ଟ୍ୟାଙ୍କର ଫଳକ ଯୁଦ୍ଧକାଳୀନ ଭିତ୍ତିରେ ରାତି ଅଧିଆ ହୋଇଛି । ବାଘରାଗନିଗୁଡା ଗ୍ରାମରେ ଦୁଇବର୍ଷ ତଳୁ କାମ ହୋଇ ବିଲ୍ ହୋଇଥିବା ପୁରୁଣା ପୋଖରୀ ହିଡ଼ରେ ଫୋଟ ଉଠାଇ ଗ୍ରାମର ନାମ ଏବଂ କାର୍ୟ୍ୟର କୋଡ଼ ନମ୍ବରକୁ ମଧ୍ୟ ଲିଭା ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି ।
ସେହିପରି ଗୋୟଳକୁଣ୍ଡ ଗ୍ରାମର ସ୍କୁଲ ନିକଟରେ କୌଣସି ଖେଳପଡିଆ ନଥିବା ବେଳେ ଚଞ୍ଚକତାରେ ହୋଇଛି ଦୁଇ ଦୁଇ ଥର ଫଲସ୍ ବିଲ୍ । ଅପରପକ୍ଷେ ମଜାରଗୁଡା ଅଞ୍ଚଳରେ ମଧ୍ୟ କୌଣସି ଖେଳ ପଡିଆ ରହିଥବାର ସୂଚନା ଗ୍ରାମବାସୀଙ୍କ ପାଖରେ ନାହିଁ କିନ୍ତୁ ଖେଳପଡିଆ ନାଁରେ ଉଠିଛି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଏବଂ ମୁର୍ଜାଚୁଆଁ ଗ୍ରାମରେ ପୋଖରୀ ନାହିଁ କିନ୍ତୁ ଗୋଟିଏ ପ୍ରାକୃତିକ ଖାଲ ପାଖରେ ନିର୍ମାଣ ହୋଇଛି ଅଟକଳ ମୂଲ୍ୟ ଲେଖା ଯାଇଥିବା ଫଳକ ।
ରାଜ୍ୟ ସରକାର ଦୁର୍ନୀତି ମୁକ୍ତ ଓଡିଶା ଏବଂ ମୋ ସରକାରର ବାହାସ୍ପଟ ମାରୁଥିବା ବେଳେ ଏଭଳି ଦୁର୍ନୀତି ହେଉଛି କିପରି ? ପ୍ରଶାସନର ବିନା ତଦାରଖରେ ଫଲସ୍ ବିଲ୍ ପାସ୍ ହେଉଛି କେମିତି ? ଏଭଳି ଅନେକ ପ୍ରଶ୍ନ ସହ ପ୍ରଶାସନର କାର୍ୟ୍ୟପନ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ସାଧାରଣ ଜନାତ ।

ଏଣେ ଗୁପ୍ତେଶ୍ୱର ପଞ୍ଚାୟତ ବାସୀ ଏହି ଦୁର୍ନୀତିରେ ସଂଶ୍ଲିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ୟ୍ୟନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଭିଜିଲାନ୍ସ ଟିମ୍ ଏବଂ ରାଜ୍ୟ ସରକାର ତଦନ୍ତ ଦୁର୍ନୀତି ଗ୍ରସ୍ତ ବାବୁମାନଙ୍କ ପର୍ଦ୍ଦାଫାଶ୍ କରୁଛି ନାଁ ମୋଟା ମୋଟା ଫାଇଲ ତଳେ ଏହି ଘଟଣା ଦାବି ହୋଇ ରହିଯାଉଛି ।

କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା