କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ବୈଠକ ଓ ଆଲୋଚନା ଚକ୍ର

କଟକ: ଏସ୍.ୟୁ.ଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ଫୁଲ ନଖରା କୁରାଙ୍ଗ ଶାସନ ସ୍ଥିତ ହୋଟେଲ ଆମରପାଲି ରେସଟ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଙ୍ଘ ସଭାପତି ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସାମ୍ବାଦିକ ସଙ୍ଘ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଙ୍ଘ ଗୁରୁତ୍ୱ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତଥା ସ୍ତମ୍ଭକାର ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଢୀ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ଆଡ଼ଭୋକେଟ କବି ନାରାୟଣ ଜେନା, ସୁରେନ୍ଦ୍ର ମହାପାତ୍ର, ଅଭୟ ଜେନା, ରଘୁନାଥ ଆଚାର୍ଯ୍ୟ, ଶଶୀଭୁଷଣ ଷଡ଼ଙ୍ଗୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଗଣମାଧ୍ୟମର ସ୍ଥିତ ଓ ସମ୍ଭାବନା ଶୀର୍ଷକ ବିଷୟ ବସ୍ତୁ ଉପରେ ଉଦିଷ୍ଟ ଆଲୋଚନାରେ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କଟକ ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ବିଭିନ୍ନ ବ୍ଲକରୁ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ଓ ପ୍ରାଚୀ ପ୍ରଜ୍ଞା ପରିଷଦ, ରଶ୍ମି ରଞ୍ଜନ ସେଠୀ, ଅସିତ ମୂଳିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାନନ ବିହାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସାଲେପୁରରୁ ଅଭୟ ଜେନା