ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ନ ହେଲେ ଆନ୍ଦୋଳନ ହେବ…

ନୟାଗଡ: ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ ଜିଲ୍ଲାର ୮ ଟି ବ୍ଲକରୁ ବହୁ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ସାମ୍ବାଦିକ ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ହୁସେନ ଖାନ୍, ଆଲୋକ ସେନାପତି, ଜୟେନ୍ଦ୍ର ବେହେରା, ଶୁଭେନ୍ଦୁ କୁମାର ଦାସ, ସାମ୍ବାଦିକ ତଥା ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଏବଂ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲା ସମ୍ପାଦକ ନିରଞ୍ଜନ ଦାସ ଏବଂ ତାଙ୍କ ସୁକନ୍ୟା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନରେ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ସଭାଗୃହରେ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ । ଏହି ସମୟରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ଅନ୍ୟାୟ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ଏ ନେଇ ବିଧାନସଭା ସମୟରେ ରାଜ୍ୟ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବି ନେଇ ଧାରଣା ଦିଆଯିବ ବୋଲି ସୂଚନା ଦେଇଥିଲେ ।

ଏ ଅବସରରେ ରାଷ୍ଟ୍ର ଗଠନରେ ପୂର୍ବ ଓ ପର ସମୟରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ସଭାରେ ଅନ୍ୟତମ ଅତିଥିଭାବେ ନୟାଗଡ ବିଡ଼ିଓ ପଦ୍ମ ଚରଣ ସାହୁ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସଭା ପରିଚାଳନା କରିଥିଲେ ।
ନୟାଗଡରୁ ନିରଞ୍ଜନ ଦାସ