ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ । ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁଁ ଅବସର ବେଉରିଆଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଅବସର ବେଉରିଆଙ୍କ ଦୁଇ ଝିଅ ଆମେରିକାରେ ଥିବାରୁ ସେମାନେ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ପକ୍ଷରୁ ସୂଚନା ରହିଛି ।
ଅବସର ବେଉରିଆ ଜାପାନ, ରୁଷିଆ, ଆମେରିକା, ୟୁଏଇ, ମ୍ୟାନମାର, ଶ୍ରୀଲଙ୍କା ଓ ମାଡାଗାସ୍କାରରେ ଥିବା ଭାରତୀୟ ଦୂତାବାସରେ କାମ କରିଛନ୍ତି । ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ସେ ବ୍ୟାଙ୍କ ଅଧିକାରୀ ଏବଂ ଅଧ୍ୟାପକ ଭାବେ କାମ କରିଥିଲେ । ରେଭେନ୍ସା କଲେଜରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଅବସର ପରେ ସେ ଓଡ଼ିଆ ଓ ଇଂରାଜୀ ଖବରକାଗଜ ପାଇଁ ସ୍ତମ୍ଭକାର ଭାବେ କାମ କରୁଥିଲେ । ଏଥିସହିତ ବିଭିନ୍ନ ସାମାଜିକ କାମରେ ଜଡିତ ରହିଥିଲେ ସ୍ବର୍ଗତଃ ବେଉରିଆ ।