ଆଧ୍ୟାତ୍ମିକ କୁନି ପ୍ରବଚକ କେଶବ ଦାସଙ୍କ କରକମଳରେ ନିଯୁକ୍ତ କକ୍ଷ ଉନ୍ମୋଚିତ

ଡ଼.ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଶିଶୁ ଦିବସ । ଉକ୍ତ ସଭାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଗଣିଆ ପଂଚାୟତ ସମିତି ଅଧ୍ୟକ୍ଷା ଝୁନୁ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଗିରିଶ ଚନ୍ଦ୍ର ମିଶ୍ର, କାଳନ୍ଦୀ ଚରଣ ଦାଶ ମହାରାଜ, ହରିହର ରାଉତ, ସମାଜସେବୀ ଅନ୍ତର୍ଯ୍ୟାମୀ ମିଶ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି ଅବସରରେ ଆଧ୍ୟାତ୍ମିକ ପ୍ରବଚକ କେଶବ ଦାସ ଦ୍ୱିତୀୟ କୃଷ୍ଣ (କୁନି ପ୍ରବଚକ) ଉପସ୍ଥିତ ଥିଲେ । ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କର ଦିବ୍ୟ ପ୍ରବଚନ ଶୁଣିବା ପାଇଁ ମହାବିଦ୍ୟାଳୟ ପରିସରରେ ଅଗଣିତ ଲୋକଙ୍କର ଜନସମାଗମ ହୋଇଥିଲା । କାର୍ଯ୍ୟକ୍ରମରେ କୁନି ପ୍ରବଚକଙ୍କ ଦିବ୍ୟ ପ୍ରବଚନରେ ସମଗ୍ର ଜନମାନସ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ସେହି ସମୟରେ ମହାବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିମଣ୍ଡଳ ସୃଷ୍ଟି ହୋଇଥିଲା ।

ଏହି ଅବସରରେ ପ୍ରବଚକ କେଶବ ଦାସଙ୍କ କରକମଳରେ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଭବିଷ୍ୟତ ନିମନ୍ତେ ମହାବିଦ୍ୟାଳୟରେ ଏକ ନିଯୁକ୍ତ କକ୍ଷର ଉନ୍ମୋଚନ କରାଯାଉଥିଲା । ଏହି ନିଯୁକ୍ତି କକ୍ଷ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ ।
ନୟାଗଡରୁ ନିରଞ୍ଜନ ଦାସ