ସରକାରୀ ବାବୁଙ୍କ ଅବହେଳା କରାଣରୁ ଦୁଃଖ ଭୋଗୁଛନ୍ତି ଅନେକ ପରିବାର

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡ଼ା ତହସିଲରେ ବସୁନ୍ଧରା ଯୋଜନା ପାଲଟିଛି ପ୍ରହସନ । ଭୂମିହୀନଙ୍କ ନାମରେ ଆସୁଛି ସରକାରୀ କଳରୁ ଟଙ୍କା । ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଲୋକେ ଦୀର୍ଘବର୍ଷ ହେବ ମୌଳିକ ସୁବିଧାରୁ ହେଉଛନ୍ତି ବଞ୍ଚିତ । ନିଜର ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବିଭିନ୍ନ ସରକାରୀ ଅଫିସକୁ ଦୌଡି ଦୌଡି ଥକିଲେଣି ସିନା, ହେଲେ ଅଫିସ ଭିତରେ ବସିଥିବା ସରକାରୀ ବାବୁଙ୍କ କାନରେ ପଡୁନି ଗରିବଗୁରୁବାଙ୍କ ଯନ୍ତ୍ରଣା କାହାଣୀ ।
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ରୟତ ଢୋଲମରା ବଡ ହରିଜନ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁରେ ରହୁଥିବା ୧୫ରୁ ଉର୍ଦ୍ଧ୍ବ ପରିବାର ବସୁନ୍ଧରା ଯୋଜନାରେ ଘରଡ଼ିହ ଓ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ଏ ନେଇ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରିଥିଲେ । ଖବର ନେବା ପରେ ଜଣାପଡିଲା ଯେ, ଏହି ଘଟଣା ଆଜିକାଲିର ନୁହେଁ । ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା, ରୟତ ଢୋଲମରା ବଡ ହରିଜନ ସାହିରେ ଥିବା ଉକ୍ତ ପରିବାର ସରକାରୀ ସୁବିଧାରୁ ବଞ୍ଚିତ ହେବା ସହ ଝାଟିମାଟି ପାଲଟଣା ଘରେ ରହିଆସୁଛନ୍ତି । ସେହି ଗ୍ରାମର ସବିତା ନାଏକ, କଉ ନାଏକ, ପୁଷ୍ପଲତା ନାଏକ, ସୁମୀ ନାଏକ, କାଞ୍ଚନ ନାଏକ, ମିନତୀ ନାଏକ, ପ୍ରତିମା ନାଏକ, ଲତା ନାଏକ, ଟୁନି ନାଏକ, ସୁମନ୍ତି ନାଏକଙ୍କ ଭଳି ଅନେକଙ୍କ ଘରେ ଦିନରେ ସୂର୍ଯ୍ୟ ଏବଂ ରାତିରେ ଜହ୍ନ ଆଲୁଅ ପଡୁଛି । ଉକ୍ତ ମହିଳାମାନଙ୍କ ଅଭିଯୋଗ ଯେ, ଆବାସଗୃହ ଓ ବସୁନ୍ଧରା ଯୋଜନାରେ ଡ଼ିହ ଖଣ୍ଡେ ପାଇବା ନିମନ୍ତେ ନେତାଙ୍କଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କେହି ସେମାନଙ୍କ ଗୁହାରୀକୁ କର୍ଣ୍ଣପାତ କରୁନାହାନ୍ତି ।
ସରକାରଙ୍କ ପକ୍ଷରୁ ବାସହୀନଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା ରହିଥିବାବେଳେ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଘର ଯୋଗାଇଦେବାକୁ ଘୋଷଣା ହୋଇଛି । ମାତ୍ର ଖଣ୍ଡପଡ଼ା ତହସିଲଦାରଙ୍କ ଅଫିସରେ ଏହି ଯୋଜନାର ସଫଳ ରୂପାୟନ ପ୍ରହସନରେ ପରିଣତ ହୋଇଛି । ଲୋକମାନେ ଆର୍.ଆଇଙ୍କଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲଦାରଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ହତାଶ ହେଲେଣି । ହେଲେ ସରକାରୀ ବାବୁଙ୍କ ଖାମଖିଆଲ ମନୋଭାବ କାରଣରୁ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ ।
ଅପରପକ୍ଷେ ଘରଡ଼ିହ ପଟ୍ଟା ନ ଥିବାରୁ ପିଲାମାନେ ତହସିଲ ଅଫିସରୁ ସ୍ଥାୟୀ ବାସିନ୍ଦା ପ୍ରଣାମ ପତ୍ର ନ ପାଇ ପାଠ ପଢିବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏଣୁ ଗ୍ରାମବାସୀଙ୍କୁ ତୁରନ୍ତ ଘରଡ଼ିହ ପଟ୍ଟା ଓ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ କେବେ ଚେତୁଛନ୍ତି ପ୍ରଶାସନ । ଏବଂ ମୌଳିକ ଅଧିକାର ପାଇବା ପାଇଁ ଗ୍ରାମବାସୀଙ୍କ ସଂଘର୍ଷ ଆଉ କେତେ ଦିନ ଜାରି ରହିବ ।
ନୟାଗଡରୁ ନିରଞ୍ଜନ ଦାସ