ମାଟିରେ ମିଶୁ ସରକାରୀ କାମ, ଆପେ ବଞ୍ଚିଲେ ବାପର ନାମ !

ବେଗୁନିଆପଡ଼ା: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୬.୩ କିମି ରାସ୍ତା ନିମନ୍ତେ ୩ କୋଟି ୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏ ନେଇ ସୂଚନା ଫଳକ ମଧ୍ୟ ଲାଗିଛି । ମାତ୍ର ଆଶ୍ଚର୍ୟ୍ୟର କଥା ଫଳକରେ ରାସ୍ତା ନିମନ୍ତେ ଆବଶ୍ୟକ ସବ୍ ବେସ୍, ଖଣିମୋରମ୍, ମେଟାଲ୍, ପଥରଗୁଣ୍ଡ, ବାଲି, ସିମେଣ୍ଟର ପରିମାଣ ଘର ଖାଲି ପଡିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ନର ଛକଠାରୁ ବାଉରୀ ନୂଆପଲ୍ଲୀ ବ୍ଲକ ସୀମା ଭାୟା କେ. ବରିଡା, ନିମିନା ପର୍ୟ୍ୟାନ୍ତ ରାସ୍ତା କାମ ପାଇଁ ଟଙ୍କା ମଞ୍ଜୁର ହୋଇଛି । ହେଲେ ରାସ୍ତା କାମ ନିମ୍ନମାନରେ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏ ନେଇ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିବାରୁ କାମ ଠିକ୍ ଚାଲିଥିବା ନେଇ ସଫେଇ ଦେବା ସହିତ ରାସ୍ତା କାମ ପାଇଁ ଠିକା ନେଇଥିବା ଠିକାଦରଙ୍କ ପ୍ରତି ଉଦାରଶୀଳ ମନୋଭାବ ଦେଖାଇଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ରାସ୍ତାରେ ପଡିଥିବା ପିସିସିର ମାନ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସାଧାରଣ ଲୋକେ ଅଭିଯୋଗ କରିବା ସହିତ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଅପରପକ୍ଷେ ରାସ୍ତାର ଉଭୟ ପାର୍ଶ୍ବରେ ମୋରମ୍ ବଦଳରେ ପଙ୍କ ମାଟି ପଡିଥିବା ନେଇ ଗ୍ରାମବାସୀ ସମ୍ପୃକ୍ତ ଠିକାଦାରଙ୍କୁ ଅବଗତ କରାଇବାରୁ ସେ ଅଭିଯୋଗକାରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଏହି କାମ ଅନ୍ୟ କାହାର ବୋଲି ସଫେଇ ଦେଇଛନ୍ତି । ଏତଦ୍ ବ୍ୟତୀତ ଡ୍ରେନ ନିର୍ମାଣର ଦୁଇ ତିନି ଦିନ ପରେ ସେଥିରୁ କଂକ୍ରିଟ୍ ଉଠି ଯାଇଛି । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କ ଠିକାଦାର ପ୍ରିତିକୁ ନେଇ ଏବେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।

ଗମନାଗମନ ସୁବିଧା ନିମନ୍ତେ ସରକାର ବହୁ ଅର୍ଥ ବ୍ୟୟ କରୁଥିବାବେଳେ ଏଥିରେ ଅନିୟମିତତା ଏବଂ ସରକାରୀ କର୍ମଚାରୀଙ୍କ ଠିକାଦାର ପ୍ରିତି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ଗ୍ରହଣ ହେଉଛି ତାହା ଦେଖିବାକୁ ବାକି ରହିଲା ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ