ବିବାହ ପରେ କଲେ ପ୍ରେମ, ଶେଷରେ ଜୀବନ ହାରିଲେ ପ୍ରେମୀଯୁଗଳ…

କୋରାପୁଟ: ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ଏ ନେଇ ପୁଲିସ୍କୁ ଖବର ଦେଇଥିଲେ । ଖବର ପାଇ ବୋରିଗୁମ୍ମା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ ଜଣାପଡ଼ୁଥିବା ବୋରିଗୁମ୍ମା ଏସିଡିପିଓ ମଧୁଶିକ୍ତା ମିଶ୍ର କହିଛନ୍ତି ।
ମୃତ ଦୁଇ ପ୍ରେମୀଯୁଗଳ ହେଲେ ଲିଟୀମଝିଆ ଗ୍ରାମର ରାମଧର ଭୁମିଆ ଏବଂ ବଡ଼ମଝିଆ ଗ୍ରାମର ଦଇମତି । ଉଭୟେ ବିବାହିତ ଥିବା ଜଣାପଡିଛି । ରାମଧର ବିବାହିତ ଥିବାବେଳେ ତାଙ୍କର ଦୁଇଟି ଛୁଆ ଅଛନ୍ତି । ସେହିପରି ମୃତ ମହିଳା ମଧ୍ୟ ବିବାହିତ ଥିବାବେଳେ ତାଙ୍କର ୪ଟି ଛୁଆ ଅଛନ୍ତି । ତେବେ ମୃତ ମହିଳାଙ୍କ ସ୍ବାମୀ କିଛି ବର୍ଷ ହେବ ତାଙ୍କଠାରୁ ଦୂରରେ ରହୁଥିଲେ ।
ମୃତ ରାମଧର ଜଣେ ମିସ୍ତ୍ରୀ ଭାବେ କାମ କରୁଥିଲେ । ଏବଂ ତାଙ୍କ ପାଖରେ ଶ୍ରମିକ ଭାବେ କାମ କରି ଆସୁଥିଲେ ଦଇମତି । ଦୀର୍ଘଦିନ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥି୍ବା ନେଇ ସୂଚନା ଦେଇଛନ୍ତି ଗ୍ରାମବାସୀ । ମାତ୍ର ଉଭୟ ମୃତକଙ୍କ ବାପା ଏ ନେଇ କିଛି ଜାଣି ନଥିବା କହିଛନ୍ତି ।
ଏ ନେଇ ପୁଲିସ୍ ପକ୍ଷରୁ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳରୁ ମୃତ ମହିଳାଙ୍କ ଫୋନ୍ ଏବଂ ୫୦୦ ଟଙ୍କାକୁ ଜବତ କରିଛି ପୁଲିସ୍ । ତେବେ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
କୋରାପୁଟରୁ ସୁନୀଲ ଦାଶ