ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ଆଜି ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା । ଏଥିରେ ବିଜେପି ଟିକେଟ୍ରେ ଲଢ଼ିଥିବା ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲେ ।
ବିଧାନସଭାରେ ବିଧାୟକ ଭାବେ ଶପଥ ନେବା ପୂର୍ବରୁ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ନେତାଙ୍କ ଗହଣରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପ୍ରଭାରୀମାନେ ତାଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି ।
ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୮୦୩୫୧ଟି ଭୋଟ୍ ମିଳିଥିବାବେଳେ ଅବନ୍ତୀ ଦାସଙ୍କୁ ୭୦୪୭୦ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ ଓ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଥିଲା ।