ରାଜା ପରେ ରାଜକୁମାର ହେଲେ ଉତ୍ତରାଧିକାରୀ: ଧାମନଗର ମୁକୁଟରେ ସୂରଜଙ୍କ ନାମ

ଧାମନଗରକୁ ମିଳିଲା ତାର ନୂଆ ଉତ୍ତରାଧିକାରୀ । ଦୀର୍ଘ ୧୪ ବର୍ଷର ଉପନିର୍ବାଚନୀ ଟ୍ରେଣ୍ଡକୁ ପରିବର୍ତ୍ତନ କରିଛି ବିଜେପି । ଧାମନଗର ଉପନିର୍ବାଚନରେ ବିପୁଳ ବହୁମତରେ ବିଜୟ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ । ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କୁ ସେ ୯,୭୪୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ଅନ୍ତେ ସେ ଧାମନଗର ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ତେବେ ଚଳିତ ଥର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଟିକେଟ୍ ଦେଇଥିଲା । ଫଳରେ ବିଜେଡିରୁ ଆଶାୟୀ ଥିବା ରାଜୁ ଦାସ ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ ।
ଅପରପକ୍ଷେ ରାଜୁଙ୍କ ଅସନ୍ତୋଷ ଏବଂ ବିଜେଡିର ଓଭର-କନଫିଡେନ୍ସ ଦଳକୁ ପରାଜୟର ସ୍ବାଦ ଚଖାଇଛି । ବିଶେଷ କରି ଉପନିର୍ବାଚନରେ ଦୀର୍ଘ ୧୪ ବର୍ଷ ଧରି ଅପ୍ରତିଦ୍ବନ୍ଦୀ ତଥା ଅପରାଜେୟ ହେବାର ଯେଉଁ ଟ୍ରେଣ୍ଡ ସେଟ୍ କରିଥିଲା ବିଜେଡି ତାକୁ ଆଜି ଭଙ୍ଗ କରିବାରେ ସକ୍ଷମ ହୋଇଛି ବିଜେପି । ଲୋକଙ୍କ ଭରସାକୁ ଜିଣି ଧାମନଗରବାସୀଙ୍କ ମନରେ ଫୁଲ ଖେଳାଇଛି ବିଜେପି ।
ଗତ ୨୦୧୯ ସାଧାରଣ ନିର୍ବାଚନରେ ଧାମନଗରରେ ବିଜେପିର ଦିବଙ୍ଗତ ନେତା ବିଷ୍ଣୁ ସେଠୀ ୮୦ ହଜାର ୧୧୧ ଖଣ୍ଡ ଭୋଟ୍ ପାଇ ବିଜେତା ହୋଇଥିଲେ । ସେହି ସମୟରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେଡି ପ୍ରାର୍ଥୀ ରାଜୁ ଦାସଙ୍କୁ ୪ ହଜାର ୬୨୫ ଖଣ୍ଡ ଭୋଟରେ ହରାଇ ଧାମନଗର ମୁକୁଟ ପିନ୍ଧିଥିଲେ । ଚଳିତ ମାସ ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।
ଚଳିତ ନିର୍ବାଚନରେ ସୂରଜ ସୂର୍ୟ୍ୟବଂଶୀ ମୋଟ୍ ୭୯,୮୪୯ ଖଣ୍ଡ ଭୋଟ ହାତେଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୭୦,୧୦୭ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩,୪୮୦ ଖଣ୍ଡ ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଅବତୀର୍ଣ୍ଣ ରାଜୁ ଦାସଙ୍କୁ ମିଳିଛି ୮,୦୯୪ ଖଣ୍ଡ ଭୋଟ୍ ।