ଭୋଟ୍…ଭୋଟ୍…ଭୋଟ୍… । ରାତିପାହିଲେ ଧାମନଗର ପାଇଁ ନେତା ବାଛିବେ ଜନତା ।

ରାତି ପାହିଲେ ଧାମନଗର ଆସନ ପାଇଁ ନେତା ବାଛିବେ ଜନତା । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚିଛନ୍ତି । ଆସନ୍ତା କାଲି ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ମୋଟ ୨୫୨ଟି ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ରହିଥିବାବେଳେ, ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ଏହା ପୂର୍ବରୁ ମକ୍ ପୋଲ ହେବ । ଆସନ୍ତାକାଲି ଉପନିର୍ବାଚନ ମଇଦାନରେ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେବ ସିଲ୍ ।
ଧାମନଗରରେ ସମ୍ବେଦନଶୀଳ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ୨୫ଟି ମାଇକ୍ରୋ ଅବଜରଭର ରହିଛନ୍ତି । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତା କରିପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କରିବେ ତେବେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । ତେବେ ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ଚେକିଂ କଡାକଡି କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି । ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଂଟ ଦେଖାଇ ଭୋଟ ଦେଇ ପାରିବେ ଜନତା ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ସୁରକ୍ଷା ବ୍ୟାବସ୍ଥା ଲାଗି ୨୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୪ କଂପାନି ସିଏପିଏଫ୍ ନିଯୁକ୍ତ କରାଯାଇଛି ।