ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ରାଧା । ଆଜି ହେଉଛି ପବିତ୍ର ଅଁଳା ନବମୀ

ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ଶୁକ୍ଳପକ୍ଷ ଅଁଳା ନବମୀ ତିଥିକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ପୁଣ୍ୟ ତିଥିରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନ କରାଯାଏ । ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭକ୍ତଙ୍କୁ ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା ରାଧା । ଦର୍ଶନ ପାଇଁ ଅନୁମତି ରହିଥିବା ବେଳେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି । କରୋନା ପାଇଁ ଦୁଇ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଏ ସୁଯୋଗକୁ ଭକ୍ତମାନେ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଏଥିପାଇଁ ରାତି ୨ଟାରୁ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିଲା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।
ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ତିନି ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ ନିୟୋଜିତ ହୋଇଛନ୍ତି । ଭିଡ ନିୟନ୍ତ୍ରଣ ପାଇଁ ମନ୍ଦିର ଆଗରେ ବ୍ୟାରିକେଡିଂ କରାଯାଇଛି । ଏହାଛଡା ବରିଷ୍ଠ ନାଗରିକଙ୍କ ପାଇଁ କୋଟ ଉପରପଡିଆଠାରୁ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ପର୍ଯ୍ୟନ୍ତ ୪ଟି ବ୍ୟାଟେରି ଗାଡିର ବ୍ୟବସ୍ଥା କରାଯାଇଛି ।
ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ରି ଗୋଟାଏ ସମୟରେ ଦ୍ୱାରଫିଟା ନୀତି ପାଳନ ହୋଇଥିଲା । ଏହାପରେ ସାଢେ ଗୋଟାଏରେ ମଙ୍ଗଳ ଆଳତି, ସାଢେ ଗୋଟାଏରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ନଟବର ବେଶ ଅନୁଷ୍ଠିତ ହୋଇଥିଲା । ଭୋର ସାଢେ ୫ଟାରେ ମନ୍ଦିର କର୍ମଚାରୀ ଓ ସେବାୟତ ଦର୍ଶନ କରିଥିଲେ । ଏହାପରେ ସକାଳ ୬ଟା ପରଠାରୁ ସାହାଣମେଲା ଦର୍ଶନ ଚାଲିଛି । ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ଏହି ଦର୍ଶନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ପୁଣିଥରେ ସଂଧ୍ୟା ୬ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ ।