ଏସ୍.ବି.ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ

ଏସ୍.ବି.ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଛକରେ ଥିବା ଏସ୍.ବି.ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ହୋଇଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଷଣ୍ଢମୂଳ ପଞ୍ଚାୟତର ନିରଞ୍ଜନ ସ୍ୱାଇଁଙ୍କ ପୁଅ ଚନ୍ଦନ କୁମାର ସ୍ୱାଇଁ ମାର୍କେଟ କମ୍ପ୍ଲେକ୍ସର ଏକ ଘର ଭଡା ନେଇ ଗ୍ରାହକ ସେବା କେନ୍ଦ୍ର କରିଥିଲେ । ରବିବାର ସେ ସେବା କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ କେହି ଅଜଣା ଦୁବୃର୍ତ୍ତ ସେବାକେନ୍ଦ୍ର ଘର କବାଟ ଭାଙ୍ଗି କ୍ୟାସ ଡ୍ରରରୁ ଟଙ୍କା, ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଲୁଟ କରି ନେଇଥିବା ନେଇ ଚନ୍ଦନ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଅଭିଯୋଗ ପାଇବା ପରେ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ