ହଠାତ୍ ପୋଲ ଭୁଷୁଡିଲା ଆଉ ତଳକୁ ଖସିଲା ଦୁଇଟି କାର୍

ପୋଲ ଉପରେ ଯାଉଥିଲା କାର୍ । ହଠାତ୍ ଭୁଷୁଡିଗଲା ପୋଲ । ଫଳରେ ପୋଲ ତଳକୁ ଖସିଲା କାର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭାଗିରଥି ପାର୍କ ଫୁଲ ଝରଣା ପୂର୍ତ୍ତ ବିଭାଗ ରାସ୍ତାରେ ଏକ ପୋଲ ଭୁଷୁଡି ପଡିଛି । ଦୁର୍ଘଟଣାରେ କାରରେ ଥିବା ଜଣେ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ ଅଚାନକ ବ୍ରିଜଟି ଖସିପଡିଥିଲା । ଫଳରେ ଦୁଇଟି ଯାକ କାର ପୋଲ ତଳକୁ ଖସି ପଡ଼ିଥିଲା । କାର୍ ଭିତରେ ଜଣେ ଶିଶୁଙ୍କ ସମେତ ୫ଜଣ ଚାପି ହୋଇ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅପରପକ୍ଷେ ପୋଲଟି ଭୁଷୁଡି ପଡିବା ଯୋଗୁଁ ଭବାନୀପାଟଣାରୁ ଫୁଲ ଝରଣା ଏବଂ ଥୁଆମୂଳ ରାମପୁର ରାସ୍ତା ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଥିବାବେଳେ ଏ ନେଇଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତାଷ ପ୍ରକାଶ ପାଇଛି । ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରିଥାଏ । ଏଠାରେ ଅନ୍ୟ ବିକଳ୍ପ ରାସ୍ତା ନାହିଁ । ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭବାନୀପାଟଣାରୁ ୩ କିଲୋମିଟର ଦୂରରେ ରହିଛି ଏହି ବ୍ରିଜ୍ । ଏହି ପୁରୁଣା ବ୍ରିଜ୍ କିଛିଦିନ ତଳେ ମରାମତି କରାଯାଇଥିଲା । ନୂଆ ବ୍ରିଜ୍ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଥିଲେ ହେଁ ପ୍ରଶାସନ ଶୁଣି ନ ଥିଲା । ଏହାଛଡ଼ା ବ୍ରିଜ୍ ମରାମତି କାମ ନିମ୍ନମାନର ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜେସିବି ଜରିଆରେ ଦୁର୍ଘଟଣାଗ୍ରସ୍ତ କାର୍ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।
କୋଟପାଡରୁ ସୁନୀଲ ଦାଶଙ୍କ ରିପୋର୍ଟ