ବାବା ଦଣ୍ଡିଶ୍ୱରଙ୍କ ମସ୍ତକରେ ଲାଗି ହେଲା ଏକ ଲକ୍ଷ ବେଲପତ୍ର । ମିଳିଲା ଆଜ୍ଞାମାଳ, ଏଥର ହେବ ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଦଳାର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମସ୍ତକରେ ଏକ ଲକ୍ଷ ବେଲପତ୍ର ସହିତ ଚନ୍ଦନ ଲେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ 8 ବର୍ଷ ପରେ ଅଞ୍ଚଳବାସୀ ବାବା ଦଣ୍ଡିଶ୍ବର ମହାଦେବଙ୍କ ଏଭଳି ଦିବ୍ୟ ପୂଜାର୍ଚ୍ଚନାର ସୌଭାଗ୍ୟ ପାଇଥିବାରୁ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଜ୍ଞାମାଳ ପାଇଲେ ହେବ ମହାଯଜ୍ଞ । ଏଥିପାଇଁ ଅପେକ୍ଷା କରିଥିଲେ ହଜାର ହଜାର ଭକ୍ତ । ବହୁ ସମୟ ପୂଜାର୍ଚନା ପରେ ମିଳିଲା ବାବାଙ୍କ ଆଜ୍ଞାମାଳ । ଆଜ୍ଞାମାଳ ମିଳିବା ପରେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ମନ୍ଦିର ପ୍ରାଙ୍ଗଣ । ସମସ୍ତଙ୍କ ମୁହଁରେ ହର୍ଷ ଉଲ୍ଲାସ କାରଣ ଦୀର୍ଘ 8 ବର୍ଷ ପରେ ହେବ ମହାଯଜ୍ଞ । ଆଉ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ତେବେ ଏହି ମହାଯଜ୍ଞ ନିମନ୍ତେ କୌଣସି ଦିନ କିମ୍ବା ମାସ ଏପରିକି ନିର୍ଦ୍ଧିଷ୍ଟ ସମୟ ନିଷ୍ପତି ହୋଇ ନ ଥିବା ବେଳେ ପର୍ଯ୍ୟାୟକ୍ରମେ ବୈଠକ କରାଯାଇ ପଞ୍ଚ ମହାଯଜ୍ଞ ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅପରପକ୍ଷେ ଆଜ୍ଞାମାଳ ପାଇବା ପରେ ସେବାୟତଙ୍କ ସହଯୋଗରେ ଓଁ ନମଃ ଶିବାୟ ମନ୍ତ୍ର ଧ୍ୱନିରେ ଚନ୍ଦନ ଲେପ ଓ ବେଲପତ୍ର ଅର୍ପଣ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର ପୁରୋହିତ ପୂର୍ଣ୍ଣଚନ୍ଦ୍ର ଶତପଥୀ, ପଦ୍ମଚରଣ ଦାଶ, କୈଳାଶ ଚନ୍ଦ୍ର ଶତପଥୀ, ଦୁର୍ଗା ପ୍ରସାଦ ଦାଶ, ନାଗଭୂଷଣ ପତି, ବାପି ଦାଶ, ଶ୍ରୀକାନ୍ତ ପାଢ଼ୀ, ନୃସିଂହ ପ୍ରସାଦ ଦାଶ, ଭୋଳାଶଙ୍କର ଦାଶ, ଅମିତ କୁମାର ଦାଶଙ୍କ ସମେତ ବହୁ ବିଦ୍ୱାନ ବ୍ରାହ୍ମଣ ଯୋଗ ଦେଇଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ