ଆମର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭାସିଗଲା, ଆମେ କେମିତି ଚଳିବୁ

କଟକ ଜିଲ୍ଲା ପଟ୍ଟାମୁଣ୍ଡାଇ କେନାଲରେ ବଡ ଘାଇ । ପଟ୍ଟାମୁଣ୍ଡାଇ କେନାଲ ଭେଡା ପଞ୍ଚାୟତ ତ୍ରିବେଣୀଶ୍ୱର ବଜାର ନିକଟ ଗୋପିନାଥପୁର ପୂର୍ତ୍ତବିଭାଗ ରାସ୍ତାରେ ପ୍ରାୟ ୧୦୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘାଇ ହୋଇଥିବାରୁ ସେଠାରେ ଥିବା ଏକ ଜନ ସେବା କେନ୍ଦ୍ର, ଟେଣ୍ଟ ହାଉସ, ତେଜରାତି ଦୋକାନ, ସାନିଟାରୀ ଷ୍ଟୋର ଓ ଷ୍ଟେସନାରୀ ଦୋକାନ ଭଳି ମୋଟ ଆଠଟି ଦୋକାନ ନଦୀରେ ଲୀନ ହୋଇଯାଇଛି । ଘାଇସୃଷ୍ଟି ହେବାପରେ କେନାଲ ପାଣି ବିରୂପା ନଦୀକୁ ପ୍ରବାହିତ ହେଉଛି । ଏହି କେନାଲଟି ନୃତାଙ୍ଗ ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ରହିଛି । ତେବେ ନୃତାଙ୍ଗ ଜଳସମ୍ପଦ ବିଭାଗ ଯନ୍ତ୍ରୀମାନଙ୍କ ଅବହେଳାରୁ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ।

ଅପରପକ୍ଷେ ବନ୍ୟା ନାହିଁ କି ବର୍ଷା ନାହିଁ ତେବେ କିପରି ଘାଇ ହେଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏପଟେ ଏହି ଘାଇ ଠିକାଦାରି ଉଦ୍ଦେଶ୍ୟରେ ହୋଇଥିବା କହିଛନ୍ତି ଖୋଦ୍ ଜଳସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିଅର । ତେବେ ଘାଇ ଯୋଗୁଁ ଦୋକାନ କ୍ଷୟକ୍ଷତିର ଆନୁମାନିକ ଆକଳନ ପ୍ରାୟ ୫୦ ଲକ୍ଷ ହେବ ବୋଲି ଅନୁମାନ କରାଯାଇଛି ।
ଘଟଣା ସ୍ଥଳରେ ଜଳସମ୍ପଦ ବିଭାଗର ଏକଜ୍ୟୁକେଟିଭ୍ ଇଞ୍ଜିନିଅର, ଏସଡିଓ ପହଞ୍ଚି କେନାଲରେ ପାଣି ବନ୍ଦ କରିବା ସହ କେନାଲର ଅପର ପାର୍ଶ୍ବ ରାସ୍ତା କାର୍ଯ୍ୟ ଆରମ୍ଭ କରିଛନ୍ତି । କେନାଲରେ ପାଣି କମିବା ପରେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିବା ସହିତ ଏହା ମନୁଷ୍ୟକୃତ୍ୟ ବୋଲି ସେ କହିଛନ୍ତି । ତେବେ ଏ ନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ଲାଗି ସେ ଜେଇଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଜଣାପଡିଛି l ଏପଟେ କେନାଲରେ ପାଣି ବନ୍ଦ ହେବା ଯୋଗୁଁ ଲକ୍ଷାଧିକ ଚାଷୀ ଚିନ୍ତାରେ ରହିଛନ୍ତି ।
ସାଲେପୁରରୁ ଅଭୟ ଜେନା