ଓଡିଶାରେ ସ୍ଥଳଭାବ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ବାତ୍ୟା ପ୍ରସ୍ତୁତି ପାଇଁ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଓଡ଼ିଶାରେ ସ୍ଥଳଭାବ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ଏ ନେଇ ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଗତି କରିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରି ବାତ୍ୟା ପଶ୍ଚିମବଙ୍ଗ- ବାଂଲାଦେଶ ଆଡକୁ ମୁହାଁଇବ ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ପୂର୍ବ-କେନ୍ଦ୍ରୀୟ ଓ ଏହା ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ୨୩ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ଘୁର୍ଣ୍ଣିବାତ୍ୟାରେ ପରିଣତ ହେବା ପରେ ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ପରେ ଏହା ଉତ୍ତର ଉତ୍ତରପୂର୍ବକୁ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଉଛି । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ଏସ୍ଆରସି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ ହେବେ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ୭ ଜିଲ୍ଲା ଉପରେ ରହିଛି ସ୍ୱତନ୍ତ୍ର ନଜର । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦୀପାବଳି ଛୁଟି ବାତିଲ କରି ୨୩ ଓ ୨୪ ତାରିଖରେ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ।