ଓଡିଶାରେ ଓଡିଆ ସିନେମା ପାଇଁ ନାହିଁ ହଲ୍

ଓଡିଆ ସିନେମାକୁ ବଞ୍ଚାଇବାକୁ ହେଲେ ଓଡିଶାରେ ବହୁଳ ମାତ୍ରାରେ ହଲର ଆବଶ୍ୟକତା ରହିଛି । ଏହା ସହିତ ମଲ୍ଟିପ୍ଲେକ୍ସର ମନମୁଖୀ ଶାସନ ତଥା ଓଡିଆ ସିନେମା ପ୍ରତି ଥିବା ଉଦାସୀନ ମନୋଭାବ ଚଳିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ । ହାତରେ ପ୍ଲାକାର୍ଡ ଏବଂ ମୁହଁରେ ଅନେକ ପ୍ରଶ୍ନ ନେଇ ରାଜଧାନୀର ରାଜରାସ୍ତକୁ ଓହ୍ଲାଇଛନ୍ତି ଓଡିଶାର ବହୁ ପ୍ରଯୋଜକ । ଓଡିଶାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଅନେକ ଓଡିଆ ସିନେମା ତିଆରି ହେଉଛି । ହେଲେ ଦର୍ଶକ ଏହି ସିନେମାକୁ ଦେଖିବା ପାଇଁ ହଲ ମିଳୁନଥିବାରୁ ସମୟକ୍ରମେ ଓଡିଆ ସିନେମା ଶିଳ୍ପ ଅସ୍ତଗାମୀ ହେବାକୁ ବସିଛି । ଅପରପକ୍ଷେ ରାଜ୍ୟ ସରକାର ମଧ୍ୟ ଓଡିଆ ସିନେମାରେ କୌଣସି ପ୍ରକାର ସବସିଡି ଦେଉନଥିବାରୁ ଏ ନେଇ ପ୍ରଯୋଜକଙ୍କ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଛି ।
ଓଡିଆ ସିନେମା ଶିଳ୍ପ ବଞ୍ଚିଲେ କଳାକାରଙ୍କଠାରୁ ଆରମ୍ଭ କରି ଟେକନିସିଆନ୍, ଲେଖକ, ସଙ୍ଗୀତକାର ଭଳି ଅନେକ ନିଜ ଜୀବନ ଜୀବିକା ବଞ୍ଚିପାରିବ । ତେଣୁ ଓଡିଆ ସିନେମା ଶିଳ୍ପକୁ ବଞ୍ଚାଇବା ପାଇଁ ୬ଜଣ ପ୍ରଯୋଜକ ଜୟଦେବ ଭବନରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନୀରବ ପ୍ରତିବାଦ ଜଣାଇଛନ୍ତି । ଓଡିଆ ସିନେମା ପାଇଁ ଓଡିଶାରେ ହଲ୍ ନାହିଁ । ଏପରିକି ୨୦୦୮ରୁ ଓଡିଆ ସିନେମାକୁ ସରକାରଙ୍କ ପକ୍ଷରୁ କୌଣସି ସବସିଡି ସୁବିଧା ନାହିଁ । ଏଭଳି ସ୍ଥିତିରେ ଏବେ ଓଡିଆ ସିନେମାର ଭବିଷ୍ୟତକୁ ନେଇ ସନ୍ଦିହାନ ପ୍ରଯୋଜକ । ଓଡିଆ ସିନେମା ଉନ୍ନୟନ ପରିଷଦରେ ଜଣକ ପରେ ଜଣେ ଥଇଥାନ ହେଉଛନ୍ତି ପଛେ ବଦଳୁନି ସିନେମା ଶିଳ୍ପର ଭାଗ୍ୟ ଓ ଭବିଷ୍ୟତ ।
ଆଗରୁ ଯେତିକି ଓଡିଆ ସିନେମା ନିର୍ମାଣ ହେଉଥିଲା, ଏବେ ତାର ସଂଖ୍ୟା ବଢ଼ିଛି । କିନ୍ତୁ ସିନେମା ହଲରେ ଓଡିଆ ସିନେମା ବଦଳରେ ଅଣଓଡିଆ ସିନେମା ରାଜ୍ କରୁଛି । ନିକଟରେ ହଲ୍ ନ ମିଳିବା ଯୋଗୁଁ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଥିଲା ଓଡିଆ ଫିଲ୍ମ । ସରକାର ନିଦାବିଷ୍ଣୁ ସାଜିଥିବା ବେଳେ ଓଡିଆ ସିନେମା ଶିଳ୍ପ ବୁଡିବାକୁ ବସିଲାଣି ବୋଲି ଅଭିଯୋଗ କରିଛନ୍ତି ପ୍ରଯୋଜକ । ତେଣୁ ଏ ଦିଗରେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପ୍ରଯୋଜକମାନେ ।